ଭୁବନେଶ୍ବର ୫/୦୪ : ବୁଧବାର ଜାପାନ ରାଜଧାନୀ ଟୋକିଓରେ ଅନୁଷ୍ଠିତ ‘ଓଡ଼ିଶା ବିଜିନେସ୍ ମିଟ୍’ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ପ୍ରାକୃତିକ ସମ୍ପଦ ଯୋଗୁଁ ଏହା ଶିଳ୍ପ ନିବେଶର ଲକ୍ଷ୍ୟସ୍ଥଳ ପାଲଟିପାରିଛି। ଓଡ଼ିଶା ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଉଭା ହୋଇଛି ଏବଂ ଏହା ଗତ ଦେଢ଼ ଦଶନ୍ଧି ମଧ୍ୟରେ ଜାତୀୟ ହାର ଠାରୁ ଉଲ୍ଲେଖନୀୟ ଅଗ୍ରଗତି କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏବେ ଓଡ଼ିଶା ଭାରତରେ ଅନ୍ୟତମ ଶ୍ରେଷ୍ଠ ରାଜ୍ୟ ଭାବେ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଓଡ଼ିଶା ସରକାର, ଜାପାନରେ ଥିବା ଭାରତୀୟ ଦୂତାବାସ, ଜାପାନ ବର୍ହିବାଣିଜ୍ୟ ସଂଗଠନ ଜେଟ୍ରୋ ଏବଂ ଫିକିର ମିଳିତ ସହଯୋଗରେ ଅନୁଷ୍ଠିତ ‘ଓଡ଼ିଶା ବିଜିନେସ ମିଟ୍’ରେ ଜେଟ୍ରୋର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ କାଜୁୟା ନାକାଜୋ, ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ ଇପିକଲ ଓ ଫିକିର ସଦସ୍ୟ ଏବଂ ଜାପାନର ବିଭିନ୍ନ ଶିଳ୍ପର ପ୍ରତିନିଧିମାନେ ଯୋଗ ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିବାବେଳେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ୫-ଟି ସଚିବ ଭି.କେ ପାଣ୍ଡିୟାନ ଓ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସେ ସେଠାରେ ଉପସ୍ଥିତ ଥିବା ଶିଳ୍ପଦ୍ୟୋଗୀମାନଙ୍କୁ ସେ ଓଡ଼ିଶାରେ ପୁଞ୍ଜିନିବେଶ କରିବା ଲାଗି ଆମନ୍ତ୍ରଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜାପାନର ୨୦୦ରୁ ଅଧିକ ବୃହତ କମ୍ପାନୀର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
