ଭୁବନେଶ୍ୱର,୪ /୬ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ଘୋଷଣା କରିଛନ୍ତି। ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ସମସ୍ତଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ବାର୍ଷିକ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଗଲା । ମୁଖ୍ୟମନ୍ତ୍ରୀ କହିଛନ୍ତି, ଜୀବନ ଆଗ, ଆଉସବୁ ପଛ । ଜୀବନ ସୁରକ୍ଷିତ ରହିଲେ ଆଗକୁ ଅନନ୍ତ ସମ୍ଭାବନା ରହିବ ଏବଂ ସମାଜ ଓ ସଭ୍ୟତା ଆଗକୁ ବଢିବ ।
ରାଜ୍ୟ ତଥା ସାରା ଦେଶରେ କରୋନା ମହାମାରୀର ୨ୟ ତରଙ୍ଗ ବର୍ତ୍ତମାନ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । କରୋନା ପାଇଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପିଲାମାନଙ୍କ ପାଠପଢା ଓ ଲୋକମାନଙ୍କର ଜୀବନଜୀବିକା। କିନ୍ତୁ ଏସବୁ ଠାରୁ ଉର୍ଦ୍ଧ୍ବରେ ରହିଛି ମଣିଷ ଜୀବନର ସୁରକ୍ଷା । ତେଣୁ ଆମ ଦେଶ ଓ ଜାତିର ଭବିଷ୍ୟତ, ଆମ ପିଲାମନଙ୍କର ସ୍ବାସ୍ଥ୍ୟ ସୁରକ୍ଷା ପରୀକ୍ଷା ଠାରୁ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ । ପରୀକ୍ଷା କରାଯାଇଥିଲେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତେ । ତେଣୁ ଛାତ୍ର ସମାଜର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରୀକ୍ଷା ବାତିଲ ସଂକ୍ରାନ୍ତୀୟ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଦ୍ବାଦଶ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଦକ୍ଷତାର ମୂଲ୍ୟାୟନ ବିଶେଷଜ୍ଞ ମାନଙ୍କ ପରାମର୍ଶକ୍ରମେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଉତ୍ତମ ଭାବରେ ନିର୍ଦ୍ଧାରିତ ମାପଦଣ୍ଡ ଦ୍ବାରା ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ମୂଲ୍ୟାୟନରେ ଯଦି କୌଣସି ଛାତ୍ରଛାତ୍ରୀ ସନ୍ତୁଷ୍ଟ ନ ହୁଅନ୍ତି, ତେବେ ସେମାନେ ଚାହିଁଲେ ପରୀକ୍ଷା ଦେଇପାରିବେ ଏବଂ ପରିସ୍ଥିତିର ସମୀକ୍ଷା କରି ପରୀକ୍ଷା କେତେବେଳେ କରାଯିବ ତାହା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଣ୍ଣୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।