ଭୁବନେଶ୍ୱର, ୨୫/୮ : ମହାମାରୀ କରୋନା କାଳରେ ଭୁଷୁଡି ପଡିଥିବା ଗ୍ରାମୀଣ ଅର୍ଥନୀତିକୁ ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟସରକାର । କରୋନା ମହାମାରୀ ସମୟରେ ଗ୍ରାମାଞ୍ଚଳ ଜୀବନ ଜୀବିକାର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ କୋଭିଡ-୧୯ ସହାୟତା ପ୍ୟାକେଜକୁ ଅନୁମୋଦନ କରିଛନ୍ତି । ଗ୍ରାମୀଣ ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ଋଣ ଦିଆଯିବ ।
ଗ୍ରାମାଞ୍ଚଳରେ ରହୁଥିବା ଗରିବ ଓ ଅତିଗରିବ ପରିବାର ତଥା ପ୍ରବାସୀ ଫେରନ୍ତାଙ୍କ ଜୀବିକା ବିକାଶ କରିବା ନିମନ୍ତେ ୪ ପ୍ରକାରର ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜର ବ୍ୟବସ୍ଥା କରାଯାଇଛି । ଏଥିରେ ବିଭିନ୍ନ ପ୍ରକାରର ଉଦ୍ୟୋଗ ପାଇଁ ଋଣ ପ୍ରଦାନ ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ଗ୍ରାମୀଣ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ କୁଶଳୀ ଓ ଅର୍ଦ୍ଧକୁଳଳୀ ପ୍ରବାସୀ ଫେରନ୍ତା, କୃଷି ଓ ଅଣ କୃଷିକ୍ଷେତ୍ରରେ କାମ କରୁଥିବା ଉତ୍ପାଦକ ତଥା ଉଦ୍ୟୋଗଗୋଷ୍ଠୀ ମାନେ ଉପକୃତ ହେବ ।
ପ୍ୟାକେଜ-୧: ଗ୍ରାମୀଣ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ପ୍ରତ୍ୟେକ ଉଦ୍ୟୋଗୀଙ୍କୁ ୫୦,୦୦୦ଟଙ୍କା ପର୍ୟ୍ୟନ୍ତ ଏକକାଳୀନ ଋଣ ପ୍ରଦାନ କରାଯିବ। ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା କିମ୍ବା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାଙ୍କ ପରିବାରର ସଦସ୍ୟ କୃଷି ଏବଂ ଅଣ କୃଷି ଉଦ୍ୟୋଗର ବିକାଶ ନିମନ୍ତେ ଏହି ଋଣ ନେଇ ପାରିବେ।
ପ୍ୟାକେଜ-୨: କୃଷି ଏବଂ ଅଣ କୃଷିକ୍ଷେତ୍ରରେ ନିୟୋଜିତ ଥିବା ବ୍ୟକ୍ତିଙ୍କୁ ନେଇ ଗଠିତ ଉଦ୍ୟୋଗ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀଙ୍କୁ ଏକକାଳୀନ ୧,୫୦,୦୦୦ଟଙ୍କା ପର୍ୟ୍ୟନ୍ତ ଋଣ ପ୍ରଦାନ କରାଯିବ। ୬ମାସରୁ ଊର୍ଧ୍ୱ ଉଦ୍ୟୋଗ ଗୋଷ୍ଠୀ ଏବଂ ଏକ ବର୍ଷରୁ ଊର୍ଧ୍ୱ ଉତ୍ପାଦକ ଗୋଷ୍ଠୀ ଏହି ଋଣ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ।
ପ୍ୟାକେଜ-୩: ଅତିଗରିବ କିମ୍ବା ଅସହାୟ ପରିବାର ଯଥା ଦିବ୍ୟାଙ୍ଗ, ଆଦିମ ଜନଜାତି, ବିଧବା, ତୃତୀୟଲିଙ୍ଗୀ, ନିରାଶ୍ରୟ, ମହିଳା ମୁଖ୍ୟ ଥିବା ପରିବାର ଇଦ୍ୟାଦିଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗ ତଥା ଜୀବିକାର ଉନ୍ନତି ନିମନ୍ତେ ୨୦,୦୦୦ଟଙ୍କା ପର୍ୟ୍ୟନ୍ତ ଋଣ ପ୍ରଦାନ କରାଯିବ।
ପ୍ୟାକେଜ-୪: କୋଭିଡ-୧୯ ମହାମାରୀ ସମୟରେ ରାଜ୍ୟକୁ ଫେରିଥିବା କୁଶଳୀ ଓ ଅର୍ଦ୍ଧକୁଶଳୀ ପ୍ରବାସୀ ଫେରନ୍ତାଙ୍କ ଦ୍ୱାରା ଉଭୟ ପୁରୁଣା ଉଦ୍ୟୋଗର ବିକାଶ ତଥା ନୂତନ ଉଦ୍ୟୋଗର ଆରମ୍ଭ ନିମନ୍ତେ ୧,୦୦,୦୦୦ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ।