ଆଜି ସନ୍ଧ୍ୟାରେ ବସିବ ସର୍ବଦଳୀୟ ବୈଠକ, ବିରୋଧିଙ୍କ ସାହାଯ୍ୟ ଲୋଡିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭/୫: ରାଜ୍ୟରେ ଦୈନିକ ସଂକ୍ରମଣ ହୁ ହୁ ବଢି ଚାଲିଥିବା ବେଳେ ମୃତ୍ୟୁରେ ରୋକ୍ ଲାଗୁନି । ଏଭଳି ସଂକଟ ସମୟରେ ବିରୋଧୀଙ୍କୁ ବିଶ୍ବାସକୁ ନେଇ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକିଛନ୍ତି ସର୍ବଦଳୀୟ ବୈଠକ ।

ଆଜି ସନ୍ଧ୍ୟା ୫ଟା ୩୦ ମିନିଟରେ ବିଧାନସଭା ସମ୍ମିଳନୀ କକ୍ଷରେ ବୈଠକ ବସିବ । ସବୁ ଦଳର ବିଧାୟକମାନେ ଭାଗ ନେବା ପାଇଁ ବ୍ୟବସ୍ଥା କରାଯାଇଛି। ଖୁବ୍ ଶୀଘ୍ର ବିଧାନସଭା ସଚିବାଳୟ ପକ୍ଷରୁ ସବୁ ବିଧାୟକମାନଙ୍କୁ ଏ ସଂକ୍ରାନ୍ତ ଚିଠି ପଠାଯାଇଛି। ଯଦି କୌଣସି ବିଧାୟକ ବିଧାନସଭା ସମ୍ମିଳନୀ କକ୍ଷକୁ ଆସି ନ ପାରିବେ, ତାହେଲେ ସେ ନିଜ ଜିଲ୍ଲା କିମ୍ବା ନିର୍ବାଚନମଣ୍ଡଳୀରେ ରହି ଭିଡିଓ କନଫରେନ୍ ସିଂ ଜରିଆରେ ଭାଗ ନେଇ ପାରିବେ ।

କୋଭିଡ୍ ମହାମାରୀର ପ୍ରକୋପ, ସ୍ବାସ୍ଥ୍ୟସେବା, ଔଷଧ, ଡାକ୍ତର, ନର୍ସ, ଅକ୍ସିଜେନ୍ ସୁବିଧା ଆଦି ଅଭାବ ଓ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିପାରିବେ। ଏହାସହିତ ଆଗକୁ କିପରି ଆହୁରି ଦକ୍ଷତା ଓ ସଫଳତାର ସହ ମହାମାରୀକୁ ସାମ୍ନା କରିହେବ ସେ ନେଇ ସରକାରଙ୍କୁ ପରାମର୍ଶ ବି ଦେଇପାରିବେ।ମହାମାରୀର ମୁକାବିଲା କରିବାପାଇଁ ସର୍ବଦଳୀୟ ବୈଠକ ଡାକିବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।