ଅଲିମ୍ପିକ୍ସ-୨୦୨୦ : ଭାରତ-ବ୍ରିଟେନ ହକି ମ୍ୟାଚ ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର,୧/୮ : ଆଜି ଟୋକିଓ ଅଲିମ୍ପିକ୍ସରେ ଭାରତ ଓ ବ୍ରିଟେନ୍ ମଧ୍ୟରେ ହୋଇଥିବା ହକି କ୍ୱାର୍ଟର ଫାଇନାଲ ମ୍ୟାଚ୍ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଟେଲିଭିଜନ ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଦେଖୁଥିବା ବେଳେ ବେଶ୍ ଉତ୍ସାହିତ ଦେଖାଯାଇଛନ୍ତି ।

ଆଜି ଭାରତ ଟୋକିଓ ଅଲିମ୍ପିକ୍ସ ପୁରୁଷ ହକି ସେମିଫାଇନାଲରେ ପ୍ରବେଶ କରିଛି। କ୍ବାର୍ଟର ଫାଇନାଲରେ ଭାରତ ବ୍ରିଟେନକୁ ୩-୧ରେ ପରାସ୍ତ କରିଛି। ଏଥିସହ ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ହକି ଦଳ ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ ଭାରତ ଓ ବେଲଜିୟମ୍ ମଧ୍ୟରେ ମୁକାବିଲା ହେବ। ଆଜି କ୍ବାର୍ଟର ଫାଇନାଲରେ ଭାରତ ପକ୍ଷରୁ ଦିଲପ୍ରୀତ, ଗୁରଜନ୍ତ ଓ ହାର୍ଦ୍ଦିକ୍ ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ।

ଯେତେବେଳେ ଭାରତ ସହ ବ୍ରିଟେନର ମ୍ୟାଚ ଜାରି ରହିଥିଲା, ସେତେବେଳେ ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ରହି ସମ୍ପୂର୍ଣ୍ଣ ମ୍ୟାଚକୁ ଦେଖୁଥିଲେ । ଯେଉଁ ସମୟରେ ଭାରତୀୟ ପୁରୁଷ ହକି ଟିମ ବ୍ରିଟେନକୁ ପରାଜୟ କରିବା ସହ ବିଜୟ ହୋଇଥିଲା, ସେହି ସମୟରେ ମୁଖ୍ୟମନ୍ତ୍ରୀ ଠିଆ ହୋଇପଡିଥିଲେ ଏବଂ ଭାରତୀୟ ଟିମକୁ ଉତ୍ସାହିତ କରିବା ସହ ତାଳି ମଧ୍ୟ ମାରିଥିଲେ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟ ପାଣ୍ଡିୟାନ ମଧ୍ୟ ଉପସ୍ଥିତ ରହିଥିଲେ।