ଭୁବନେଶ୍ବର,୩/୯ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି)ର ୧୧୦ଟି ନୂତନ ଯାତ୍ରୀବାହୀ ବସ୍ ଏବଂ “ମୋ ବସ୍” ର ଦୁଇଟି ଅତ୍ୟାଧୁନିକ ଡିପୋକୁ ଲୋକାର୍ପଣ କରିଛନ୍ତି। ଓଏସଆରଟିସିର ଏହି ନୂତନ ଯାତ୍ରୀବାହୀ ବସ୍ ବିଏସ୍-୬ ଇଞ୍ଜିନ ଯୁକ୍ତ ହୋଇଥିବା ବେଳେ ସବୁ ବସ୍ରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା, ଜରୁରୀ କାଳୀନ ସୁରକ୍ଷା ବଟନ୍, ଟ୍ରାକିଂ ସହିତ ଆରାମଦାୟକ ସିଟ୍ ବ୍ୟବସ୍ଥା ରହିଛି। ଏହା ଦ୍ବାରା ଓଡ଼ିଶାବାସୀଙ୍କ ପାଇଁ ଗମନାଗମନ ବ୍ୟବସ୍ଥା ଆହୁରି ସୁଗମ ଓ ସୁଦୃଢ଼ ହେବ ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି। ଆଜି ୧୧୦ଟି ନୂଆ ଅତ୍ୟାଧୁନିକ ବସ ଲୋକାର୍ପଣ ହୋଇଥିବାବେଳେ ଦ୍ୱିତୀୟ ପର୍ୟ୍ୟାୟରେ ଆଉ ୭୦ଟି ବସ ମଧ୍ୟ ଲୋକାର୍ପଣ କରାଯିବ ବୋଲି ଜଣାପଡିଛି।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଟିଆ ଏବଂ ଭଗବାନପୁର ଠାରେ ଦୁଇଟି ଅତ୍ୟାଧୁନିକ “ମୋ ବସ୍” ଡିପୋ ଲୋକାର୍ପଣ କରିଛନ୍ତି। ଡିପୋ ମଧ୍ୟରେ ବସ୍ ରହିବା ସହ ତେଲ ପକାଇବାର ବ୍ୟବସ୍ଥା କରାଯାଇଛି। ଏଥିସହ ଏଠାରେ ବସ୍ ଗୁଡ଼ିକୁ ମେସିନ୍ ଜରିଆରେ ପରିଷ୍କାର କରାଯାଇ ପାରିବ। ଅଳ୍ପ ସମୟରେ ବସ୍ ଗୁଡ଼ିକୁ କିପରି ଭଲଭାବରେ ସଫା କରା ଯାଇପାରିବ, ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ଳାଣ୍ଟ, ମେକାନାଇଜଡ ୱାସିଙ୍ଗ୍ ଏବଂ ୱାର୍କରସ୍ ବିଲଡିଂ ତଥା ବର୍ଷାଜଳର ପୁନଃ ବ୍ୟବହାର ବ୍ୟବସ୍ଥା କରାଯାଇଛି ।