ବୌଦ୍ଧ,୨ /୧ : ବୌଦ୍ଧ ରାଜତନ୍ତ୍ର ସମୟର ଶହେ ବର୍ଷର କୋଠାକୁ ରାଜ୍ୟର ପ୍ରଥମ ଜିଲ୍ଲା ସଂଗ୍ରହାଳୟ ଭାବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ମାଧ୍ୟମରେ ଲୋକାର୍ପିତ କରିଛନ୍ତି।। ଏହି ସଂଗ୍ରହାଳୟରେ ଐତିହାସିକ ବୌଦ୍ଧ ଜିଲ୍ଳାର ଲୋକକଳା, ସଂସ୍କୃତି, ପ୍ରାଚୀନ ପରମ୍ପରା, କାରିଗରୀ, କିର୍ତ୍ତିରାଜୀ ଓ ବିକାଶର ଝଲକ ଦେଖିବାକୁ ମିଳିବ। ଶହେବର୍ଷର ଏହି ଐତିହାସିକ କୋଠାରେ ସ୍ଥାପିତ ସଂଗ୍ରହାଳୟ ନୂଆପିଢୀ ଓ ପର୍ଯଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜିଲ୍ଳାର ଲୁଣିବାହାଲ, ଖୁଂଟବନ୍ଧ ଓ କଂଟାମାଳଠାରେ ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ତିନୋଟି ଦୁଗ୍ଧ ଶିତଳୀକରଣ କେନ୍ଦ୍ର, ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ମିଳନସ୍ଥଳ ବୌଦ୍ଧ ମହାନଦୀ ବ୍ରିଜଛକର ଉନ୍ନତିକରଣ ସହିତ ଏହାକୁ ବିଜୁପଟ୍ଟନାୟକ ଛକ ନାମରେ ନାମିତ କରିଛନ୍ତି।

ଏହା ସହିତ ୬ କୋଟି ବ୍ୟୟରେ ଏନଏସି ଛକରୁ ଜାମୁଛକ ଓ ୩ କୋଟି ବ୍ୟୟରେ ଟ୍ରେଜେରୀ ଛକରୁ ସର୍କିଟହାଉସ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ, ୫.୬୯ ଲକ୍ଷ ବ୍ୟୟରେ ମନମୁଣ୍ଡା ବାଇପାସ ରାସ୍ତା, ୨.୯୫ ଲକ୍ଷ ବ୍ୟୟରେ ମଡେଲ ଡିଗ୍ରୀ କଲେଜ ପରିସରରେ ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ହଷ୍ଟେଲ, ବିଜୁସେତୁ ଯୋଜନାରେ ୩.୨୮ ଲକ୍ଷ ଓ ୨.୮୪ ଲକ୍ଷ ବ୍ୟୟରେ ବଘିଆପଡା ସମାପାଜୁ ଓ ପାଣିଶାଳ ରାସ୍ତାରେ ଦୁଇଗୋଟି ସେତୁ, ତାଳଗିରି ଜୁରାମୁଣ୍ଡା ରାସ୍ତାରେ ୧.୫୪ ଲକ୍ଷ ବ୍ୟୟରେ ନିର୍ମିତ ପୋଲ, ୧.୮୦ ଲକ୍ଷ ବ୍ୟୟରେ ଭାଲିଆଗୋରା ଠାକୁରମୁଣ୍ଡା ପୋଲ, ବୌଦ୍ଧ ସହରର ମାତଙ୍ଗେଶ୍ୱର ମନ୍ଦିର ପାର୍ଶ୍ବରେ ୩୫ ଲକ୍ଷ ବ୍ୟୟରେ ସୌନ୍ଦର୍ଯ୍ୟକରଣ, ୧.୫୦ ଲକ୍ଷ ବ୍ୟୟରେ ଖଜୁରୀପଡାଠାରେ ଯାତ୍ରୀନିବାସ, ମର୍ଜାକୁଦ ପାଇଁ ୧୧ କେଭି ବିଦ୍ୟୁତକରଣ ପ୍ରକଳ୍ପ ଆଦି କାର୍ଯ୍ୟର ଉଦଘାଟନ କରିଥିଲେ।
ସେହିପରି ବୌଦ୍ଧ ସହରରେ ୨.୫୦ ଲକ୍ଷ ବ୍ୟୟରେ ଏକ ମୃତ୍ତିକା ପରୀକ୍ଷଣ କେନ୍ଦ୍ର, ଜଗନ୍ନାଥ ମନ୍ଦିର ନିକଟରେ ପର୍ଯଟକମାନଙ୍କ ପାଇଁ କମ୍ୟୁନିଟି ସେଂଟର, ସମାପାଜୁ ପାଣିଶାଳ ରାସ୍ତାର ଉନ୍ନତିକରଣ ପାଇଁ ୭.୯୦ ଲକ୍ଷ ଓ ବିଳାସପୁର ଦପଲା ରାସ୍ତାର ଉନ୍ନତିକରଣ ପାଇଁ ୩.୩୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ୫ ଟି ସଚିବ ଭି,କେ. ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୌଦ୍ଧଜିଲ୍ଲାରେ ରାଜ୍ୟସରକାରଙ୍କ ପକ୍ଷରୁ ଜାରି ରହିଥିବା ବିକାଶର ଧାରା ସଂପର୍କରେ ଆଲୋକପାତ କରିବା ସହିତ ଐତିହ୍ୟ ସଂପର୍ଣ୍ଣ ଏହି ଜିଲ୍ଲାରେ ଭରି ରହିଥିବା ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।