ଭୁବନେଶ୍ୱର, ୩୧/୦୭ : ଆସନ୍ତା ୯ ତାରିଖ ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ମହିଳାଙ୍କୁ ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର । କୋରାପୁଟ ଜୟପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସୁଭଦ୍ରା ତୃତୀୟ କିସ୍ତି ବାଣ୍ଟିବେ । କୋଟିଏରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କ ଆକାଉଣ୍ଟକୁ ଏକକାଳୀନ ଯିବ ସୁଭଦ୍ରା ଟଙ୍କା ଯିବ । ସୁଭଦ୍ରା ଅର୍ଥ କିପରି ବ୍ୟବହାର ହେଉଛି ସେଥିପାଇଁ ମତାମତ ନେବାକୁ ଷ୍ଟିୟରିଂ କମିଟିରେ ନିଷ୍ପତ୍ତି ହୋଇଛି । ସେହିପରି ଯେଉଁମାନଙ୍କୁ ୨୧ ବର୍ଷ ପୂରଣ ସେମାନେ ମଧ୍ୟ ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିପାରିବେ । କିନ୍ତୁ ଯେଉଁ ମହିଳାମାନଙ୍କୁ ମାର୍ଚ୍ଚ ୩୦ ସୁଦ୍ଧା ୬୦ ଟପିଥିବ ସେମାନ ସୁଭଦ୍ରାରୁ ବାଦ୍ ପଡ଼ିବେ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି ରାଜ୍ୟରେ ସୁଭଦ୍ରା ସମୀକ୍ଷା ଜାରି ରହିଛି । ବିଗତ ୧୨ ଦିନ ହେବ ରାଜ୍ୟର ବିଭିନ୍ନ ଜ଼ିଲ୍ଲାରେ ସମୀକ୍ଷା ହେଉଛି। ଗତକାଲି ସୁଦ୍ଧା ୭ ହଜାର ସୁଭଦ୍ରା ହିତାଧିକାରୀଙ୍କ ମତାମତ ସଂଗ୍ରହ ହୋଇସାରିଛି । ଏକ ମାସ ମଧ୍ୟରେ ୨୨ ହଜାର ସୁଭଦ୍ରାଙ୍କର ମତାମତ ନେବାକୁ ଲକ୍ଷ୍ୟ ରଖାଯାଇଛି । ହାତରେ ଆହୁରି ୧୮ଦିନର ସମୟ ରହିଛି । ଠିକ ସମୟରେ ଟାର୍ଗେଟ ପୂରଣ ହୋଇଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ପ୍ରଦାନ କରିଛନ୍ତି । ମହିଳା ଓ ଶିଶୁଙ୍କ ବିକାଶ ପାଇଁ ଲୋକସେବା ଭବନରୁ ହେଉଥିବା ଯୋଜନା ଅଙ୍ଗନବାଡ଼ି ସ୍ତରରେ ପହଞ୍ଚୁଛି କି ନାହିଁ ଅଧିକାରୀମାନେ ତଦାରଖ କରିବେ । ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ୨ ଲକ୍ଷ ମହିଳାଙ୍କୁ ଆଉ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ । ପୁଣି ଥରେ ତଥ୍ୟ ଯାଞ୍ଚ କରି ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।
