ରେସନ କାର୍ଡଠାରୁ ଧାନ ସଂଗ୍ରହ ପଞ୍ଜୀକରଣ ଏଣିକି ସବୁ ଅନ୍‌ଲାଇନ୍ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨ /୧୦: ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା- ଜଣେ ବି ଗରିବ ଲୋକକୁ ମୁଁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବି ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିଚାରଧାରାକୁ କାର୍ଯ୍ୟରେ ପରିଣତ କରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଧାନ ସଂଗ୍ରହ ପଞ୍ଜୀକରଣଠାରୁ ଆରମ୍ଭ କରି ରେସନ କାର୍ଡ ଆବେଦନ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ପାଇଁ ଅନ୍‌ଲାଇନ୍ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଲୋକମାନେ ଏବେ ଘରେ ବସି ସବୁ ସୁବିଧା ପାଇପାରିବେ।

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏହି କାର୍ଯ୍ୟର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାକୁ ସ୍ୱଚ୍ଛତା ଓ ଦକ୍ଷତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଲୋକଙ୍କ ଖାଦ୍ୟ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ସହିତ ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଏନ୍‌ଏସ୍‌ଏଫ୍‌ଏରୁ ବାଦ୍‌ ପଡିଥିବା ୨୫ ଲକ୍ଷ ଲୋକଙ୍କୁ ସାମିଲ କରିଛନ୍ତି। ସାରା ରାଜ୍ୟରେ ସାଢେ ତିନି କୋଟିରୁ ଅଧିକ ଲୋକ ଖାଦ୍ୟ ସୁରକ୍ଷାରେ ସାମିଲ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସାରା ରାଜ୍ୟର ଲୋକ ଏହି ବିଭାଗ ସହିତ ସିଧାସଳଖ ଯୋଡି ହୋଇ ରହିଛନ୍ତି। ତେଣୁ ସାଧାରଣ ଲୋକ ପରିବର୍ତ୍ତନର ସୁଫଳ ଯେପରି ଠିକ୍‌ ଭାବରେ ପାଇପାରିବ। ସେଥିପାଇଁ ଅନ୍‌ଲାଇନ ବ୍ୟବସ୍ଥା ସଂପର୍କରେ ବ୍ୟାପକ ସଚେତନତା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ମାସକ ମଧ୍ୟରେ କେତେ ଲୋକ ଏହି ଅନ୍‌ଲାଇନ ସୁବିଧାର ବ୍ୟବହାର କଲେ, ସେ ସଂପର୍କରେ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।