ଭୁବନେଶ୍ବର,୧/୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୨-୨୩ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଏହି ବଜେଟ୍ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଶ୍ରୀ ପଟ୍ଟନାୟକ ଟେକ୍ନୋଲୋଜି ଓ ଭିତ୍ତିଭୂମି ଉପରେ ଫୋକସ୍କୁ ପ୍ରଶଂସା କରିଛନ୍ତି। କରୋନା ମହାମାରୀ ସମୟରେ ଶିକ୍ଷା ଓ ସ୍ବାସ୍ଥ୍ୟ ବିକାଶରେ ଏହା ସହାୟକ ହେବ। କେନ୍ଦ୍ରର ବଜେଟ୍ରେ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ବ୍ୟୟବରାଦ୍ ହ୍ରାସ କରାଯାଇଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କୃଷି ଓ କୃଷକଙ୍କ ବିକାଶ, ଉଚ୍ଚଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ବ୍ୟୟବରାଦ ହ୍ରାସ ହୋଇଛି। ଏହା ବିକାଶ ଉପରେ ପ୍ରଭାବ ପକାଇବ। ସେହିପରି ମନରେଗାରେ ବ୍ୟୟବରାଦ ହ୍ରାସ ଯୋଗୁଁ ଗରିବ ଲୋକେ ପ୍ରଭାବିତ ହେବେ। ଏନ୍ଏଫ୍ଏସ୍ଏ ଅନ୍ତର୍ଗତ ଖାଦ୍ୟ ସବ୍ସିଡିରେ ବ୍ୟୟବରାଦ ହ୍ରାସ ପାଇଛି। ଏହା ଦ୍ବାରା ଚାଷୀ ପ୍ରଭାବିତ ହେବେ।
ଦର ବୃଦ୍ଧି ଯୋଗୁଁ ମଧ୍ୟବିତ୍ତ ଶ୍ରେଣୀ ଓ ଗରିବ ଶ୍ରେଣୀର ଲୋକେ ବହୁ ପ୍ରଭାବିତ ହେବେ। ଏଲ୍ପିଜି ଗ୍ୟାସ ଦର ବୃଦ୍ଧି ଯୋଗୁଁଁ ଲୋକଙ୍କର ଆର୍ଥିକ ପରିସ୍ଥିତି ବିଗିଡ଼ିଛି। ଏଲ୍ପିଜି ଗ୍ୟାସ ଦର ବୃଦ୍ଧି ଯୋଗୁଁ ମହିଳାମାନେ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ସେହିପରି ଏଲ୍ପିଜି ସବ୍ସିଡି କମି ଥିବାରୁ ମହିଳା ଓ ଗୃହ ଅର୍ଥନୀତି ପ୍ରଭାବିତ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ବଜେଟରେ ମଧ୍ୟବିତ୍ତ ଲୋକଙ୍କ ପାଇଁ ବିଶେଷ କିଛି ନାହିଁ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗ୍ରାମ୍ୟ ଗୃହ ଯୋଜନାରେ ଓଡ଼ିଶାକୁ ଅବହେଳା ଆମକୁ ବ୍ୟଥିତ କରିଛି। ଓଡ଼ିଶା ପ୍ରତି ହୋଇଥିବା ଅନ୍ୟାୟକୁ ସମାଧାନ କରିବା ପାଇଁ ନବୀନ ପଟ୍ଟନାୟକ ଦାବି କରିଛନ୍ତି। ପୁଷ୍ଟିକର ସୁରକ୍ଷା ତଥା କୃଷକଙ୍କ ଆୟ ବୃଦ୍ଧିରେ ‘ଓଡିଶା ମିଲେଟ ମିଶନ’ ଏକ ଖେଳ ପରିବର୍ତ୍ତନକାରୀ। ଭାରତ ସରକାର କେନ୍ଦ୍ର ବଜେଟରେ ମିଲେଟର ଗୁରୁତ୍ୱକୁ ସ୍ୱୀକୃତି ଦେଇଛନ୍ତି। ତେଣୁ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ନେଇ ମୁଁ ଖୁସି ଅନୁଭବ କରୁଛି। ପିଏମ୍ଏୱାଇ ଜଳ ଜୀବନ ମିଶନକୁ ଅଧିକ ଅନୁଦାନ ମିଳିଛି। ଏହା ସ୍ବାଗତଯୋଗ୍ୟ ପଦକ୍ଷେପ। ମୁଁ ଆଶା କରୁଛି ଯେ, ଆବାସ ଯୋଜନାରେ ଗୃହ ପାଇ ନଥିବା ଗରିବ ଓ ଆଦିବାସୀ ଲୋକଙ୍କୁ ସାମିଲ କରାଯିବ।