ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବସିଲା ସର୍ବଦଳୀୟ ବୈଠକ, ଆସନ୍ତାକାଲିଠାରୁ ବିଧାନସଭା ଚାଲିବ

ଭୁବନେଶ୍ବର,୧୮/୩ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ବିଧାନସଭା ଅଚଳ ପ୍ରସଙ୍ଗରେ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତାକାଲିଠାରୁ ବିଧାନସଭା ଚାଲିବ ଏବଂ ଆସନ୍ତାକାଲି ପୂର୍ବାହ୍ନ ଧାନକିଣା ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉତ୍ତର ରଖିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ରଖିବା ନେଇ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ ସ୍ବାଧୀକାର କମିଟିକୁ ଯିବ। ସରକାରୀ ଦଳ ଆଣୁଥିବା ଅଭିଯୋଗ ଗୃହରେ ଉପସ୍ଥାପନ ହେବନାହିଁ ବୋଲି ସର୍ବଦଳୀୟ ବୈଠକ ଶେଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ଆସନ୍ତାକାଲିଠାରୁ ସ୍ବାଭାବିକ ହେବ ବିଧାନସଭା ଓ ସୁରୁଖୁରୁରେ ଗୃହ କାର୍ଯ୍ୟ ଚାଲିବ। ଏହାଦ୍ବାରା ଦୀର୍ଘ ୬ ଦିନ ଧରି ଗୃହରେ ଦେଖାଦେଇଥିବା ଅଚଳାବସ୍ଥା ଦୂର ହୋଇଛି ଏବଂ ସର୍ବଦଳୀୟ ବୈଠକରେ ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଛି। ସର୍ବଦଳୀୟ ବୈଠକ ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଆସନ୍ତାକାଲି ଯାଏ ମୁଲତବି ରଖିଛନ୍ତି । ଅନ୍ୟପକ୍ଷରେ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭା ଭିତରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ବିରୋଧରେ ବିଜେଡି ଆଣିଥିବା ଅଭିଯୋଗ ସ୍ୱାଧିକାର କମିଟିକୁ ପଠାଯାଇଛି ।