ରାଜ୍ୟରେ ୨୦୦୦ ଡାକ୍ତରଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ବର,୧୯/୧: ରାଜ୍ୟବାସୀଙ୍କୁ ଅତ୍ୟାଧୁନିକ ତଥା ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି। କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜକୁ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବରେ ଗଢିତୋଳିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି।

ସେହିପରି ନୂଆକରି ରାଜ୍ୟ ସରକାର ଗଢିଥିବା ୯ ଗୋଟି ମେଡିକାଲ କଲେଜ ଗୁଡିକର ଭିତ୍ତିଭୂମିର ବିକାଶ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଥିଲେ। ଏତଦ୍‌ବ୍ୟତୀତ ୫ ଗୋଟି ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ୬ ଗୋଟି ମୁଖ୍ୟ ଚିକିତ୍ସାଳୟର ଉନ୍ନତିକରଣ କାର୍ଯ୍ୟ ସଂପର୍କରେ ମଧ୍ୟ ସମୀକ୍ଷା କରିଥିଲେ ।

ଝାରସୁଗୁଡା ଠାରେ କ୍ରେଡିଟ କେୟାର ଡାକ୍ତରଖାନା, କଟକ ଶିଶୁଭବନରେ ପି.ଜି. ଛାତ୍ରଛାତ୍ରୀଙ୍କ ପାଇଁ ମଲ୍‌ଟି ୟୁଟିଲିଟି କମ୍ଲେକ୍ସ, ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲର ଲିନାକ୍‌ ବ୍ଲକ, କ୍ୟାପିଟାଲ ହସ୍‌ପିଟାଲର ବିକାଶ ତଥା ପିଜିଆଇ ଭାବରେ ଗଢିବା ଏବଂ ବରଗଡ କ୍ୟାନସର ହସ୍‌ପିଟାଲ ଆଦିର ନିର୍ମାଣ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।

ଅନ୍ୟାନ୍ୟ ବିଷୟ ମାନଙ୍କ ମଧ୍ୟରେ ନୂଆକରି ଖୋଲିବାକୁ ଥିବା ମେଡିକାଲ କଲେଜ ଗୁଡିକର ଅଧ୍ୟାପକ ପଦବୀ ତଥା ପେରିଫେରି ଡ଼ାକ୍ତରଖାନାର ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଆଦି ପଦବୀ ପୂରଣ ଏବଂ ଚିକିତ୍ସା ଊପକରଣ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । । ଓପିଏସ୍‌ସି ପକ୍ଷରୁ ପ୍ରାୟ ୨୦୦୦ରୁ ଅଧିକ ଡାକ୍ତର, ଦନ୍ତ ଚିକିତ୍ସକ ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇବ ବୋଲି ଜଣାଯାଇଛି ।