ନୂଆଦିଲ୍ଲୀ, ୨୭/୧୦ : ଆଜିଠାରୁ ମୁମ୍ବାଇରେ ଆରମ୍ଭ ହୋଇଛି ଇଣ୍ଡିଆ ମାରିଟାଇମ୍ ୱିକ୍ ୨୦୨୫ । ଏଥିରେ ଯୋଗ ଦେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚାରଣ ମାଝୀ । ୨୭ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ୩୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆଜି ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବା ସହିତ ଓଡ଼ିଶା ସମ୍ପର୍କିତ ଅଧିବେଶନରେ ଉପସ୍ଥିତ ରହିଛନ୍ତି । ଉକ୍ତ ଅଧିବେଶନରେ ଓଡ଼ିଶାରେ ବନ୍ଦର ଆଧାରିତ ପୁଞ୍ଜିନିବେଶ ଏବଂ ବନ୍ଦର ଜରିଆରେ ରପ୍ତାନୀ ସମ୍ପର୍କରେ ମାନସମନ୍ଥନ ହୋଇଛି । ଏହି ସମ୍ମିଳନୀରେ ଯୋଗଦେବା ଲାଗି ଓଡ଼ିଶା ସରକାରଙ୍କ ଏକ ପ୍ରତିନିଧି ଦଳ ମୁମ୍ବଇରେ ଗତକାଲିଠୁ ପହଞ୍ଚିଥିଲେ । ଏହି ଅବସରରେ ନୀତି ନିର୍ଦ୍ଧାରକ, ବିଶେଷଜ୍ଞ ଓ ନିବେଶକ ଏକତ୍ର ହୋଇ ନୌ ଭିତ୍ତିଭୂମି, ଭବିଷ୍ୟତ କାର୍ଯ୍ୟପନ୍ଥା ଏବଂ ନୀଳ ଅର୍ଥନୀତିର ସମ୍ଭାବନା ସମ୍ପର୍କରେ ଆଲୋଚନ କରିଛନ୍ତି । ଏହି ଅବସରରେ ଇଣ୍ଡିଆ ମାରିଟାଇମ୍ ୱିକ୍ ପ୍ରଦର୍ଶନୀ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶର ବର୍ଦ୍ଧିତ ନୌବାଣିଜ୍ୟ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେବା ଦିଗରେ ଓଡ଼ିଶାର ଉପସ୍ଥିତି ଗୁରୁତ୍ୱ ବହନ କରୁଛି ।
