ଭୁବନେଶ୍ୱର,୧୦/୪: ଆସନ୍ତା ମେ’ ମାସ ୨୯ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଗଠିତ ସରକାର ପଞ୍ଚମ ପାଳିର ଦ୍ବିତୀୟ ଵର୍ଷ ପୂରଣ କରୁଛି । ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନରେ ସରକାରଙ୍କ ବିଭିନ୍ନ ବିଭାଗ କେତେ ସଫଳ ହୋଇଛନ୍ତି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ।
ଆଗମୀ ମେ’ ମାସ ୧୫ରୁ ୨୫ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ ପରିଷଦର ସଭ୍ୟମାନଙ୍କୁ ବ୍ୟକ୍ତିଗତ ଭାବରେ ପତ୍ର ଲେଖି ଏହା ଜଣାଇଛନ୍ତି । ସଚିବମାନଙ୍କ ଉପସ୍ଥିତିରେ ମନ୍ତ୍ରୀମାନେ ସେମାନଙ୍କ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ପାଞ୍ଚଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ । ଏହା ସହିତ ୫ଟି ଓ ମୋ ସରକାର କାର୍ଯ୍ୟକ୍ରମ ସେମାନଙ୍କ ବିଭାଗରେ କିଭଳି କାର୍ଯ୍ୟକାରୀ କରାଯାଇଛି ଏବଂ ଏହା ସେମାନଙ୍କ ବିଭାଗର କାର୍ଯ୍ୟ ଧାରାରେ କିଭଳି ଉନ୍ନତି ଆଣିଛି ଓ ବିଭାଗକୁ କେତେ ଲୋକାଭିମୁଖୀ କରିପାରିଛି ସେ ସମ୍ପର୍କରେ ମଧ୍ୟ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଣତନ୍ତ୍ରରେ ଜନତା ହେଉଛନ୍ତି ମାଲିକ । ତେଣୁ ଗଣତନ୍ତ୍ର ରେ ଉତ୍ତର ଦାୟିତ୍ୱ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାର ସାଢ଼େ ଚାରି କୋଟି ଜନତା ଯେଉଁ ଦାୟିତ୍ୱ ଆମକୁ ଦେଇଛନ୍ତି। ଯେଉଁ ପ୍ରତିଶ୍ରୁତି ଆମେ ଲୋକଙ୍କୁ ଦେଇଛୁ ତାକୁ ପାଳନ ଦିଗରେ କେତେ ଦୂର ଆମେ ସଫଳ ହୋଇଛୁ ତାର ହିସାବ ଲୋକଙ୍କୁ ଦେବାକୁ ହେଵ ଓ ଏହା ଗଣତନ୍ତ୍ରର ମର୍ଯ୍ୟଦା ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।