ପୁରୀ, ୨୧/୨ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମଭୂମି ପୁରୀ ସାକ୍ଷୀଗୋପାଳର ସୁଆଣ୍ଡୋ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ୨୩ ତାରିଖ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଆଣ୍ଡୋ ଗସ୍ତରେ ଆସି ସୁଆଣ୍ଡୋ ଗ୍ରାମର ଉନ୍ନତିକରଣ ଓ ସୋନ୍ଦର୍ଯ୍ୟକରଣ କାର୍ଯ୍ୟର ଉଦ୍ଘାଟନ କରିବେ । ଗୋପବନ୍ଧୁ ଦାସଙ୍କ ଘରକୁ ପୁନରୁଦ୍ଧାର କରାଯାଇ ଗୋପବନ୍ଧୁଙ୍କ ସୃତିକୁ ସାଇତି ରଖାଯାଇଛି । ଏକ ମ୍ୟୁଜିୟମ୍ ନିର୍ମାଣ ହୋଇଥିବା ବେଳେ ଗାଁ ମନ୍ଦିର, ପୁଷ୍କରିଣୀ, ରାସ୍ତାର ଉନ୍ନତିକରଣ କାର୍ଯ୍ୟ ମଧ୍ୟ କରାଯାଇଛି । ସ୍ୱାଧୀନତା ଆନ୍ଦୋଳନରେ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ କ’ଣ ସବୁ ଭୂମିକା ରହିଥିଲା ଏବଂ ସେ ସମାଜ ସେବାରେ ନିଜକୁ କିଭଳି ଉତ୍ସର୍ଗ କରିଥଲେ ସମସ୍ତ ତଥ୍ୟ, କାହାଣୀକୁ ସ୍ଥାନ ଦିଆଯାଇଛି।
ଏଠାକୁ ଆସୁଥିବା ପର୍ଯ୍ୟଟକ ହୁଅନ୍ତୁ କିମ୍ବା ଯୁବ ପିଢ଼ିକୁ ଭବିଷ୍ୟତରେ ତାଙ୍କୁ ଏହା ଉତ୍ସାହିତ କରିବ ଏବଂ ଦେଶ ସେବାରେ ସମସ୍ତଙ୍କ କିଭଳି ଅବଦାନ ରହିବା ଦରକାର ତାହା ଏକ ନିଆରା ଅନୁଭବ ନେଇ ଫେରିବେ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
