ନୂଆଦିଲ୍ଲୀ,୨୭/୩ : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ସକାଳେ ଗୋରଖନାଥ ମନ୍ଦିର ପରିଦର୍ଶନ କରୁଥିଲେ। ଏହି ପରିଦର୍ଶନ ସମୟରେ ସେ କାନପୁରରୁ ତାଙ୍କ ପିତାମାତାଙ୍କ ସହ ଆସିଥିବା ଏକ ୪ ବର୍ଷର ଝିଅ ଯଶସ୍ଵିନୀ ସିଂହଙ୍କୁ ଦେଖି ନିଜ ପାଖକୁ ଡାକି ତାଙ୍କୁ ଆଦର କରିଥିଲେ ଏବଂ ଚକୋଲେଟ୍ ଦେଇ କିଛି ସମୟ କଥା ହୋଇଥିଲେ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଚକୋଲେଟ୍ ପାଇବା ପରେ ଛୋଟ ଯଶସ୍ୱିନୀର କାର୍ଯ୍ୟ ଉପସ୍ଥିତ ସମସ୍ତଙ୍କ ମୁହଁରେ ହସ ଫୁଟାଇ ଦେଇଥିଲା। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଛୋଟ ଯଶସ୍ୱିନୀର ଆତ୍ମବିଶ୍ୱାସ ଏବଂ ମୁଖ୍ୟମନ୍ତ୍ରୀଙ୍କ ସରଳତାକୁ ପ୍ରଶଂସା କରୁଛନ୍ତି।
ଯଶସ୍ଵିନୀ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲା “ମହାରାଜ ଜୀ, ଆପଣଙ୍କ ପାଇଁ ମୋର ଏକ ଉପହାର ଅଛି। ଦୟାକରି ପ୍ରଥମେ ଆଖି ବନ୍ଦ କରନ୍ତୁ।” ଏକ ନିଷ୍ପାପ ପିଲାଠାରୁ ଏହା ଶୁଣି ମୁଖ୍ୟମନ୍ତ୍ରୀ ଯୋଗୀ ହସିଲେ ଏବଂ ତୁରନ୍ତ ଆଖି ବନ୍ଦ କରିଦେଲେ। ଯଶସ୍ୱିନୀ ତାଙ୍କ ବ୍ୟାଗରୁ ଏକ ଛୋଟ ଖେଳଣା ବୁଲଡୋଜର କାଢ଼ି ତାଙ୍କୁ ଉପହାରସ୍ଵରୂପ ଦେଇଥିଲା । ଆଖି ଖୋଲିବା ପରେ, ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କ ହାତରେ “ବୁଲଡୋଜର” ଦେଖି ହସି ଉଠିଲେ। ଏହି ଉପହାର ସତରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଥିଲା। ସେ ପିଲାଟି ସହିତ ବହୁତ ସମୟ ଧରି କଥା ହେଲେ ଏବଂ ତାକୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଶୀର୍ବାଦ ଦେଇଥିଲେ।