ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଦ୍ୱାରା “ବନ୍ଦେ ମାତରମ୍” ର ୧୫୦ ବର୍ଷ ପୂର୍ତ୍ତି ପାଳନ 

ଭୁବନେଶ୍ୱର,୭/୧୧ : (ଓଡିଶା ଖବର) – ଭାରତ ସରକାରଙ୍କ ଦ୍ୱାରା ୭ ନଭେମ୍ବର ୨୦୨୫ ରୁ ୭ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଭାରତର ଜାତୀୟ ସଂଗୀତ “ବନ୍ଦେ ମାତରମ୍” ର ୧୫୦ ବର୍ଷ ପୂର୍ତ୍ତି ପାଳନ ପାଇଁ ଏକବର୍ଷ ପର୍ଯ୍ୟନ୍ତ ଦେଶବ୍ୟାପୀ ସ୍ମାରକୀ ପାଳନ ଆରମ୍ଭ କରିଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାତୀୟ କାର୍ଯ୍ୟାନ୍ୱୟନ କମିଟି (NIC) ଦ୍ୱାରା ସ୍ମାରକୀ କାର୍ଯ୍ୟକଳାପକୁ ଅନୁମୋଦନ କରାଯାଇଛି ।

ବର୍ଷସାରା ଚାରୋଟି ପର୍ଯ୍ୟାୟରେ ଏହି ସ୍ମୃତିଚାରଣ ପାଳନ କରାଯିବ । ପ୍ରଥମ ପର୍ଯ୍ୟାୟରେ ୭ ରୁ ୧୪ ନଭେମ୍ବର 2025 ମଧ୍ୟରେ ପାଳନ କରାଯାଉଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟ ୧୯ ରୁ ୨୬ ଜାନୁଆରୀ ୨୦୨୬ (ଗଣତନ୍ତ୍ର ଦିବସ) ପର୍ଯ୍ୟନ୍ତ, ତୃତୀୟ ପର୍ଯ୍ୟାୟ ୭ ରୁ ୧୫ ଅଗଷ୍ଟ ୨୦୨୬ (ହର ଘର ତିରଙ୍ଗା ୨୦୨୬ ସହିତ ସମନ୍ୱୟ) ପର୍ଯ୍ୟନ୍ତ ଏବଂ ଚତୁର୍ଥ ପର୍ଯ୍ୟାୟ ୧ ରୁ ୭ ନଭେମ୍ବର ୨୦୨୬ (ସମାପନ ସପ୍ତାହ ଭାବରେ) ପାଳନ କରାଯିବ ।

ଏହି ଜାତୀୟ ପଦକ୍ଷେପର ଅଂଶ ସ୍ୱରୂପ, ପୂର୍ବ ତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ୭ ନଭେମ୍ବର ୨୦୨୫ ରେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ମୁଖ୍ୟାଳୟ ଏବଂ କଟକ ରେଳ ଷ୍ଟେସନରେ “ବନ୍ଦେ ମାତରମ୍” ସମୂହ ଗାନ ଆୟୋଜନ କରିଥିଲା, ଯାହା ସ୍ମାରକୀ ବର୍ଷର ପ୍ରାରମ୍ଭ ଥିଲା ।

ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ମୁଖ୍ୟାଳୟରେ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠି ରେଳମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ମାନଙ୍କ ସହ ସମସ୍ତ ସଖା ଅଧିକାରୀ ଓ କର୍ମଚାରୀମାନଙ୍କ ସହିତ ଜାତୀୟ ସଙ୍ଗୀତର ସାମୂହିକ ପରିବେଷଣରେ ଯୋଗ ଦେଇଥିଲେ । ଏହି ସମୂହ ଜାତୀୟ ସଂଗୀତ ସମସ୍ତ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଏକତା, ଗର୍ବ ଏବଂ ଦେଶପ୍ରେମର ମନୋଭାବକୁ ପ୍ରତିଫଳିତ କରିଥିଲା । ଏହି କାର୍ଯ୍ୟକ୍ରମକୁ ରେଳମଣ୍ଡଳର ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ଶ୍ରୀ ଆର.ଏନ.ଏ. ପରିଡା ସଂଯୋଜନା କରିଥିଲେ ।

ଏକକାଳୀନ, ଖୋର୍ଦ୍ଧା ରୋଡ ରେଳମଣ୍ଡଳ ଅଧୀନରେ ଥିବା ସମସ୍ତ ଷ୍ଟେସନରେ ଅଡିଓ-ଭିଜୁଆଲ୍ ମୋଡ୍‌ରେ ଜାତୀୟ ସଂଗୀତ “ବନ୍ଦେ ମାତରମ୍” ବଜାଇ ଦିଆଯାଇଥିଲା, ଯାହା ଫଳରେ ରେଳମଣ୍ଡଳର ଯାତ୍ରୀ ଏବଂ ରେଳ କର୍ମଚାରୀମାନେ ଦେଶପ୍ରେମ ପାଳନରେ ଯୋଗଦାନ କରିପାରିଥିଲେ ।

ଖୋର୍ଦ୍ଧା ରୋଡ ଏବଂ କଟକରେ ମୁଖ୍ୟ କାର୍ଯ୍ୟକ୍ରମ ବ୍ୟତୀତ ପୁରୀ, ବ୍ରହ୍ମପୁର ଏବଂ ଅନ୍ୟାନ୍ୟ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍‌ ମାନଙ୍କରେ “ବନ୍ଦେ ମାତରମ୍” ର ଗଣସଂଗୀତ ମଧ୍ୟ ଆୟୋଜନ କରାଯାଇଥିଲା, ଯେଉଁଠାରେ ରେଳ କର୍ମଚାରୀ ଏବଂ ଯାତ୍ରୀମାନେ ମିଳିତ ଭାବରେ ଉତ୍ସାହ ଏବଂ ଦେଶପ୍ରେମ ସହିତ ଜାତୀୟ ସଂଗୀତ ଗାନ କରିଥିଲେ ।

ଐତିହାସିକ ଅବସରକୁ ପାଳନ କରିବା ଏବଂ ଜନସାଧାରଣଙ୍କୁ ଦର୍ଶନୀୟ ଭାବରେ ଉତ୍ସବରେ ସାମିଲ କରିବା ପାଇଁ କଟକ ଷ୍ଟେସନ୍‌ରେ “ବନ୍ଦେ ମାତରମ୍ – ୧୫୦ ବର୍ଷ” ଦର୍ଶନ ଉପରେ ଏକ ସେଲ୍ଫି ପଏଣ୍ଟ ମଧ୍ୟ ସ୍ଥାପନ କରାଯାଇଅଛି ।

ବର୍ଷବ୍ୟାପୀ ସ୍ମୃତି ଅବଧି ମଧ୍ୟରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ବିଭିନ୍ନ ସଚେତନତା ଏବଂ ପ୍ରସାର କାର୍ଯ୍ୟକ୍ରମ ଗ୍ରହଣ କରିବ ଯେଉଁଥିରେ • ରେଳ ଷ୍ଟେସନଗୁଡ଼ିକରେ “ବନ୍ଦେ ମାତରମ୍” ସମ୍ବନ୍ଧରେ ଅଡିଓ ବାର୍ତ୍ତା ଏବଂ ବିଶେଷ ଘୋଷଣା, • ଷ୍ଟେସନଗୁଡ଼ିକରେ LED ସ୍କ୍ରିନରେ “ବନ୍ଦେ ମାତରମ୍” ସମ୍ବନ୍ଧୀୟ ଦୃଶ୍ୟ ଏବଂ ଐତିହାସିକ ସୂଚନା ପ୍ରଦର୍ଶନ, • ପୂର୍ବତଟ ରେଳପଥ କ୍ଷେତ୍ରାଧିକାର ଅଧୀନରେ ବିଶାଖାପାଟଣା, କଟକ ଏବଂ ସମ୍ବଲପୁର ସମେତ ଦେଶର ୫୦ ଟି ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ “ବନ୍ଦେ ମାତରମ୍” ଉପରେ ପ୍ରଦର୍ଶନୀ ଅନ୍ତର୍ଭୁକ୍ତ ଅଟେ ।

ଏହି କାର୍ଯ୍ୟକ୍ରମଗୁଡ଼ିକର ଲକ୍ଷ୍ୟ “ବନ୍ଦେ ମାତରମ୍” ଜାତୀୟ ସଂଗୀତର ଐତିହାସିକ ଏବଂ ସାଂସ୍କୃତିକ ଗୁରୁତ୍ୱକୁ ସମ୍ମାନ କରିବା ଏବଂ ରେଳ କର୍ମଚାରୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଦେଶପ୍ରେମ, ଏକତା ଏବଂ ଜାତୀୟ ଗର୍ବର ଭାବନାକୁ ପୁନର୍ଜୀବିତ କରିବା ।