ହଷ୍ଟେଲରୁ ଲାପଟପ ଓ ମୋବାଇଲ ଚୋରୀ ଅଭିଯୋଗରେ ଏମବିଏ ଛାତ୍ରୀ ଗିରଫ

ଭୁବନେଶ୍ୱର,୨୨/୧୦: ରାଜଧାନୀ ଭୁବନେଶ୍ୱରରେ ଏକ ଏମ୍‌ବିଏ ହଷ୍ଟେଲ୍‌ରେ ସାଙ୍ଗଙ୍କ ରୁମ୍‌ରେ ପଶି ଲାପ୍‌ଟପ୍‌ ଓ ମୋବାଇଲ୍‌ ଚୋରି କରୁଥିଲା। ଆଉ ଚୋରି ସାମଗ୍ରୀକୁ କୋଲକାତା ଚାଲାଣ କରୁଥିଲା। ଏହାର ଲିଙ୍କ ବାଂଲାଦେଶକୁ ଥିବା ଜଣାପଡ଼ିଛି। ଇନ୍‌ଫୋସିଟି ଥାନା ପୁଲିସ୍‌ ଲାପ୍‌ଟପ୍‌ ଚୋରଣୀ ଓ ତା’ ସହଯୋଗୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଇନ୍‌ଫୋସିଟି ଥାନା ଅଞ୍ଚଳରେ ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟର ଏମ୍‌ବିଏ ହଷ୍ଟେଲ୍‌ରୁ ବାରମ୍ୱାର ଲାପ୍‌ଟପ୍‌ ଓ ମୋବାଇଲ ଚୋରି ହେଉଥିଲା। ଏନେଇ ହଷ୍ଟେଲ୍‌ରେ ରହୁଥିବା ଦୁଇ ଏମ୍‌ବିଏ ଛାତ୍ରୀ ଶିଳ୍ପୀ ନାୟକ ଓ ଲୋପାମୁଦ୍ରା ମହାନ୍ତି ଥାନାରେ ଲିଖିତ ଅଭିଯୋଗ କରିଥିଲେ। କମିଶନରେଟ୍‌ ପୁଲିସ୍‌ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ହଷ୍ଟେଲ୍‌ର କିଛି ଛାତ୍ରୀଙ୍କୁ ପଚରାଉଚରା କରିଥିଲା।

ପଚରା ଉଚରା ବେଳେ ଏମ୍‌ବିଏ ଦ୍ୱିତୀୟ ବର୍ଷର ଛାତ୍ରୀ ପୂଜା ଶାହାଙ୍କ ଉପରେ ପୁଲିସ୍‌ ସନ୍ଦେହ ହୋଇଥିଲା। ଏହା ପରେ ପୁଲିସ୍‌ ପୂଜାଙ୍କୁ ଘନ ଘନ ଜେରା କରିଥିଲା। ଶେଷରେ ପୂଜା ନିଜ ଦୋଷ ସ୍ୱୀକାର କରିଥିଲା। ହଷ୍ଟେଲ୍‌ ରୁମ୍‌ରେ ପଶି ମୋବାଇଲ୍‌ ଓ ଲାପ୍‌ଟପ୍‌ ଚୋରି କରୁଥିବା ମାନିଥିଲା। ପୁଲିସ ପୂଜା ଓ ଅହମ୍ମଦଙ୍କୁ ଗିରଫ କରିଛି। ତାଙ୍କଠାରୁ ୪ଟି ମୋବାଇଲ୍‌ ଓ ୩ଟି ଲାପ୍‌ଟପ୍‌ ଜବତ କରିଛି। ଏହି ଲୁଟ୍‌ପାଟ୍‌ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ଉପରେ ତଦନ୍ତ ଚଳାଇଛି ବୋଲି ପୁଲିସ୍‌।