କମିଶନରେଟ ପୋଲିସ ଏସସିୟୁ ଜାଲରେ ୨ ବନ୍ଧୁକ ମାଫିଆ : ବୋଲେରୋ ସହ ୧୦ ପିସ୍ତଲ,୧ ଅଟୋମାଟିକ କାରବାଇନ ଓ ୧୨ ଜୀବନ୍ତ ଗୁଳି ଜବତ
ଭୁବନେଶ୍ୱର,୬/୧୨ : (ପ୍ରଦୀପ୍ତ କୁମାର ଦାସ) – କମିଶନରେଟ ପୋଲିସ ଏସସିୟୁ ପଞ୍ଚାରେ ଧରାପଡିଛନ୍ତି ଦୁଇ କୁଖ୍ୟାତ ଆନ୍ତରାଜ୍ୟ ବନ୍ଧୁକ ମାଫିଆ। ତେବେ ଶୁକ୍ରବାର ଅପରାହ୍ନରେ ଏକ ବୋଲେରୋ ଗାଡ଼ିରେ ଅନୁଗୁଳରୁ ବ୍ରହ୍ମପୁର ଅଭିମୁଖେ ଚୋରା ଚାଲାଣ ବେଳେ ଏହି ବେଆଇନ ଚୋରା ବନ୍ଧୁକ ସହ ଜୀବନ୍ତ ଗୁଳି ସବୁ ଜବତ କରିଛି କମିଶନରେଟ ପୋଲିସ ସ୍ପେଶାଲ କ୍ରାଇମ ୟୁନିଟ।ପ୍ରକାଶଯୋଗ୍ୟଯେ ଅନୁଗୁଳର ନୂଆହାଟସାହି ନିବାସୀ ସୁମନ୍ତ ନାୟକ ଓ ଢେଙ୍କାନାଳ ପରଜଙ୍ଗ ସ୍ଥିତ ବନ୍ତପୁର ନିବାସୀ ସୌଭାଗ୍ୟ ନାୟକ ନାମକ ଦୁଇ ଜଣ ପେଶାଦାର କୁଖ୍ୟାତ ଅପରାଧୀଙ୍କୁ ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରିଛି କମିଶନରେଟ ପୋଲିସ।ସ୍ଥାନୀୟ ଖଣ୍ଡଗିରି ଥାନା ଅନ୍ତର୍ଗତ ଜାତୀୟ ରାଜପଥର ଖଣ୍ଡଗିରି ଓଭର ବ୍ରିଜ ଦେଇ ଉଭୟ ଉକ୍ତ ବଲେରୋରେ ଏସବୁ ବେଆଇନ ଆଗ୍ନେୟ ମାରଣାସ୍ତ୍ର ଚୋରାଚାଲାଣ କରୁଥିବା ବିଶ୍ୱସ୍ତ ଗୁଇନ୍ଦା ସୂତ୍ରରୁ ଖବର ପାଇବାପରେ ଏସସିୟୁ ଟିମ ଚଢ଼ାଉ କରି ସେମାନଙ୍କୁ କାବୁ କରିଥିଲା।

ସେମାନଙ୍କ ନାମରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବିଭିର୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଥିବା ତଦନ୍ତରୁ ଜଣାପଡ଼ିଛି।ତେବେ ଏମାନେ ଝାରଖଣ୍ଡ,ମୁଙ୍ଗେର ଓ ବିହାରରୁ ଏସବୁ ମାରଣାସ୍ତ୍ର ଆଣି ରାଜ୍ୟର ବିଭିନ୍ନ ଅଂଚଳରେ ବିକ୍ରି କରୁଥିବା ସହ ଆନ୍ତରାଜ୍ୟ ଚୋରା ବନ୍ଧୁକ ଚାଲାଣ ରାକେଟରେ ମଧ୍ୟ ସମ୍ପୃକ୍ତ ବୋଲି ପୋଲିସ ସନ୍ଦେହ କରୁଛି।ଉଭୟଙ୍କୁ ଗିରଫ କରିବା ସହ ଏହି ବେଆଇନ କାରବାରରେ ବ୍ୟବହୃତ ବଲେରୋ,ଉପରୋକ୍ତ ୧୧ ଗୋଟି ଚୋରା ବନ୍ଧୁକ,୧୨ ଜୀବନ୍ତ ଗୁଳି,୩ ଟି ମୋବାଇଲ ଫୋନ ଓ ନଗଦ ୧୬୦୦ ଟଙ୍କା ଜବତ କରିଛି ପୋଲିସ।ଏହି ବେଆଇନ କାରବାରର ନେଟୱର୍କ ପଛରେ ଅନ୍ୟ କେଉଁ ଅପରାଧୀମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଧରିବାକୁ ମଧ୍ୟ ଏସସିୟୁ ଟିମ ଅଧିକ ତଦନ୍ତ ଜାରିରଖିଥିବା କମିଶନରେଟ ପୋଲିସ ସୂତ୍ରରୁ ପ୍ରକାଶ