ଇସ୍ରୋ ତରଫରୁ ଯୋଗାଯୋଗ ଉପଗ୍ରହ ସିଏମଏସ – ୦୧ର ସଫଳ ଉତକ୍ଷେପଣ

ଶ୍ରୀହରିକୋଟା, ୧୭/୧୨ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଆଜି ଅପରାହ୍ନ ୩ଟା ୪୧ ମିନିଟରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୋଗାଯୋଗ ଉପଗ୍ରହ ‘ସିଏମଏସ-୦୧’ ଉତକ୍ଷେପଣ କରାଯାଇଛି। ଇସ୍ରୋର ପୋଲାର ସାଟେଲାଇଟ୍ ଲଞ୍ଚ୍ ଭେଇକିଲ୍ (ପିଏସଏଲଭି-ସି୫୦) ମାଧ୍ୟମରେ ଏହାକୁ ସଫଳତାର ସହ କକ୍ଷପଥରେ ଅବସ୍ଥାପିତ କରାଯାଇଥିବା ଜଣାପଡିଛି। ତେବେ ଉକ୍ତ କକ୍ଷପଥର ନିର୍ଦ୍ଧାରିତ ସ୍ଥାନରେ ସ୍ଥାପିତ ହେବାକୁ ଏହି ଉପଗ୍ରହକୁ ଆଉ ୪ ଦିନ ଲାଗିଯିବ । ବର୍ତ୍ତମାନ ସୁଦ୍ଧା ଏହି ଉପଗ୍ରହ ଠିକ ଭାବେ କାର୍ଯ୍ୟ କରୁଛି ।

ଏହା ଯୋଗାଯୋଗ ଉପଗ୍ରହ ‘ସିଏମଏସ-୦୧’ ଦେଶର ୪୨ତମ ଯୋଗାଯୋଗ ଉପଗ୍ରହ ଅଟେ। ପିଏସଏଲଭିର ୫୨ତମ ମିଶନରେ ଏହି ଉପଗ୍ରହକୁ ଉତକ୍ଷେପଣ କରାଯାଇଛି। ପାଣିପାଗ ପରିସ୍ଥିତି ଅନୁଯାୟୀ ଆଜି ଏହାକୁ ଉତକ୍ଷେପଣ କରିବାକୁ ପୂର୍ବରୁ ସ୍ଥିର କରାଯାଇଥିଲା। ଏହି ଯୋଗାଯୋଗ ଉପଗ୍ରହ ବିସ୍ତାରିତ-ସି ବ୍ୟାଣ୍ଡରେ ସେବା ଯୋଗାଇବ ଯେଉଁଥିରେ ଆଣ୍ଡାମାନ-ନିକୋବର ଏବଂ ଲାକ୍ଷାଦ୍ବୀପ ଦ୍ୱୀପପୁଞ୍ଜକୁ ଯୋଗାଯୋଗ ସହଜ ହେବ।