କେନ୍ଦୁଝର, ୨/୨ : ଓଡ଼ିଶା ଖଣି ନିଗମ ଲିଃ. କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି (କମ୍ପ୍ୟୁଟର ପରିଚାଳନା) କରିବା ପାଇଁ ଓଏମ୍ସିର ପରିଚାଳନା ନିର୍ଦ୍ଦେଶକ ଆଗ୍ରହ ପ୍ରକାଶ କରି ଓକାକ୍ (ଓଡ଼ିଶା କମ୍ପ୍ୟୁଟର୍ ଆପ୍ଲିକେସନ୍ ସେଣ୍ଟର)କୁ ଦାୟିତ୍ୱ ପ୍ରଦାନ କରିଥିଲେ । ଓକାକ୍ ଏହି ଦାୟିତ୍ୱକୁ ଗୁରୁତ୍ୱପୂର୍ଣ୍ଣ ଭାବେ ବିଚାରକୁ ନେଇ ଓକେସିଏଲ୍ ସହଭାଗିତାରେ ଓଏମ୍ସିର ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ୫୦ରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ଏମ୍ଏମ୍-ଅଫିସ ତାଲିମ ପ୍ରଦାନ କରିଥିଲେ । ଓକେସିଏଲ୍ର ଏହି ତାଲିମ୍ ଦ୍ୱାର ପ୍ରଭାବିତ ହୋଇ ଓଏମ୍ସି ପରଚାଳନା ନିର୍ଦ୍ଦେଶକ, ଓଏମ୍ସିର ବିଭିନ୍ନ କ୍ୟାମ୍ପ୍ ଅଫିସରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଏହି ତାଲିମ୍ ଦେବାପାଇଁ ସ୍ଥିର କରିଥିଲେ । ଫଳସ୍ୱରୂପ ଆଜି କେନ୍ଦୁଝର ଜିଲ୍ଲା ଗନ୍ଧମାର୍ଦନ ଖଣି କର୍ମଚାରୀଙ୍କ ତାଲିମ୍ କାର୍ଯ୍ୟ ଓକେସିଏଲ୍ ଦ୍ୱାରା ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ରିଜିଓନାଲ୍ ମ୍ୟାନେଜର୍ ଶ୍ରୀଯୁକ୍ତ ଅନୁରାଗ ଓଝା ଉଦଘାଟନ କରିଥିଲେ । ଶ୍ରୀ ଆର.ଆର. ପରିଡ଼ା (ଡିଜିଏମ୍-ଇଲେକ୍ଟ୍ରିକାଲ୍, ଶ୍ରୀ ଆର.ଆର. ମହାନ୍ତି (ଡିଜିଏମ୍-ଫାଇନାନ୍ସ), ଶ୍ରୀ ଏ.କେ. ଦାସ (ଡିଜିଏମ୍-ପର୍ସନାଲ) ଏବଂ ଓକେସିଏଲ୍ର ସିନିଅର ମ୍ୟାନେଜର ଶ୍ରୀଯୁକ୍ତ ପ୍ରମୋଦ ରାଉତଙ୍କ ସହିତ କେନ୍ଦୁଝର ଜିଲ୍ଲା କୋର୍ଡିନେଟର ଶ୍ରୀ ଦେବିଦତ୍ତ ସାହୁ ଉପସ୍ଥିତ ଥିଲେ । ଚଳିତ ସପ୍ତାହରେ କେନ୍ଦୁଝର ଜିଲ୍ଲାର ଅନ୍ୟ ତିନିଗୋଟି ଖଣି ଅଞ୍ଚଳ ଯଥା-ବଡ଼ବିଲ, ଦୈତାରୀ, ବାଙ୍ଗୁର ଓ ଯାଜପୁରର କାଳିଆପାଣି ଖଣି କର୍ମଚାରୀଙ୍କୁ ଓକେସିଏଲ୍ ତାଲିମ୍ ପ୍ରଦାନ ଆରମ୍ଭ କରିବ ।