ପ୍ରିୟଙ୍କାଙ୍କ ନେତୃତ୍ବରେ ଉତ୍ତରପ୍ରଦେଶରେ ଏକାକୀ ଲଢିବ କଂଗ୍ରେସ

ଲକ୍ଷ୍ନୌ,୫/୭ : ଆସନ୍ତା ବର୍ଷ ହେବାକୁ ଯାଉଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ କୌଣସି ଅନ୍ୟ ସହିତ ମେଣ୍ଟ କରିବ ନାହିଁ ବୋଲି ଦଳର ରାଜ୍ୟ ମୁଖ୍ୟ ଅଜୟ କୁମାର ଲାଲୁ କହିଛନ୍ତି। ସେ କହିଛନ୍ତି ଯେ ଦଳ ଏକାକୀ ନିର୍ବାଚନ ଲଢିବାକୁ ବେଶ ସକ୍ଷମ । ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ତତ୍ତ୍ବାବଧାନରେ ଦଳ ଏହି ନିର୍ବାଚନ ଲଢିବ ଓ ଦୀର୍ଘ ତିନି ଦଶନ୍ଧି ପରେ କଂଗ୍ରେସ କ୍ଷମତାକୁ ଫେରିବ ବୋଲି ଅଜୟ କୁମାର କହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଉତ୍ତରପ୍ରଦେଶରେ କଂଗ୍ରେସ ଏବେ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି। ଏହା ରାଜ୍ୟ ସରକାରକୁ ବଡ ଆହ୍ବାନର ସମ୍ମୁଖୀନ ହେବାକୁ ଦେଇଛି। ସମାଜବାଦୀ ପାର୍ଟିର ୪୯ ବିଧାୟକଙ୍କ ଠାରୁ କଂଗ୍ରେସର ୫ ବିଧାୟକ ଏବେ ଅଧିକ ପ୍ରଭାବଶାଳୀ ବିବେଚିତ ହୋଇଛନ୍ତି। ଅନ୍ୟପଟେ ବହୁଜନ ସମାଜ ପାର୍ଟି (ବିଏସପି) ଓ ସମାଜବାଦୀ ପାର୍ଟି (ଏସପି) ମଧ୍ୟରେ ଉତ୍ତରପ୍ରଦେଶ ନିର୍ବାଚନରେ ମେଣ୍ଟ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି।