ପଞ୍ଜାବରେ ବଢ଼ିଲା କଂଗ୍ରେସ କନ୍ଦଳ

ଅମୃତସର: ପଞ୍ଜାବରେ କ୍ଷମତାସୀନ କଂଗ୍ରେସରେ ସୃଷ୍ଟି ହୋଇଥିବା କନ୍ଦଳ ଏବେ ଉଗ୍ର ରୂପ ଧାରଣ କରିବାକୁ ବସିଲାଣି। ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଏଭଳି ଫାଟ ଦଳୀୟ ହାଇକମାଣ୍ଡଙ୍କୁ ଚିନ୍ତାରେ ପକାଇଛି। ବିବାଦ ସମାଧାନ କରିବାକୁ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ଉପ ମୁଖ୍ୟମନ୍ତ୍ରୀ ଦିଆଯାଇଥିଲେ। ହେଲେ ସେ ଏହାକୁ ରୋକଠୋକ ମନାକରି ଦେଇଛନ୍ତି। ସେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଅଧୀନରେ କାମ କରିବାକୁ ରାଜି ନଥିବା କହିଛନ୍ତି।

କଂଗ୍ରେସରେ କନ୍ଦଳ ବଢ଼ୁଥିବାରୁ ଏହାର ସମାଧାନ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଥିଲା। ସିଦ୍ଧୁ ଏହି କମିଟିକୁ ଭେଟି ଦଳୀୟ କନ୍ଦଳ ତୁରନ୍ତ ସମାଧାନ କରିବାକୁ କହିଛନ୍ତି। ଏଥିସହ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିଲେ ମଧ୍ୟ ସେ କାମ କରିବାକୁ ଚାହାନ୍ତି ନାହିଁ ବୋଲି କହିଥିବା କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି।

ଏହି ସୂତ୍ରରେ ଆହୁରି କୁହାଯାଇଛି ଯେ ସିଦ୍ଧୁ ପ୍ୟାନେଲର ସଦସ୍ୟମାନଙ୍କୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅମରିନ୍ଦର ସିଂହ ଆଦୌ ଯୋଗ୍ୟ ନୁହନ୍ତି। କଂଗ୍ରେସ ବିଧାୟକ, ଦଳୀୟ ସଦସ୍ୟ ଓ ନେତାମାନଙ୍କୁ ଅଣଦେଖା କରାଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏହାକୁ ନେଇ କଂଗ୍ରେସ ହାଇକମାଣ୍ଡ ଚିନ୍ତାରେ ପଡ଼ିଛନ୍ତି। ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ସିଦ୍ଧୁ ଓ ଅମରିନ୍ଦର ସିଂହଙ୍କ କଳି ଦଳ ପାଇଁ ଘାତକ ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ କଂଗ୍ରେସ ହାଇକମାଣ୍ଡ ୩ ଜଣିଆ ପ୍ୟାନେଲର ପରାମର୍ଶକ୍ରମେ ବଡ଼ କାର୍ଯ୍ୟାନୁଷ୍ଠାନ ନେବାର ଆଶଙ୍କା ରହିଛି।