ଭୁବନେଶ୍ବର,୧୮/୧୨ : ଆସନ୍ତା ଜାନୁଆରି ୨୬ ତାରିଖ ଠାରୁ ଆରମ୍ଭ ହେବ କଂଗ୍ରେସର‘ହାତରେ ହାତ ଯୋଡ଼ ଅଭିଯାନ‘ । ଦୁଇ ମାସ ଧରି ଚାଲିବ ଏହି ଯାତ୍ରା। ଏହି ଯାତ୍ରା ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ଘର ଘର ବୁଲି ଲୋକଙ୍କୁ ଅବଗତ କରାଇବ କଂଗ୍ରେସ। ଏନେଇ ଆଜି କଂଗ୍ରେସ ଭବନରେ ବସିଥିବା ବୈଠକରେ ପ୍ରଭାରୀ ଚେଲା କୁମାରଙ୍କ ସମେତ ବହୁ ବରିଷ୍ଠ ନେତା ଏବଂ ଜିଲ୍ଲା କଂଗ୍ରେସ ସଭାପତିଙ୍କ ଉପସ୍ଥିତିରେ ନିଷ୍ପତ୍ତି ହୋଇଛି।
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ୧୦୦ ଦିନରେ ପହଞ୍ଚିଛି ଏବଂ ୨୮୦୦ କିମିରୁ ଅଧିକ ରାସ୍ତା ଅତିକ୍ରମ କରିଛି। ତାମିଲନାଡ଼ୁରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ସଂପନ୍ନ ହେବା ପରେ ଏବେ ରାଜସ୍ଥାନରେ ଚାଲିଛି।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସ ଗତ ସେପ୍ଟେମ୍ବର ମାସ ୭ ତାରିଖ ଠାରୁ ‘ଭାରତ ଯୋଡୋ ଯାତ୍ରା’ ଆରମ୍ଭ କରିଛି। ତାମିଲନାଡୁର କନ୍ୟାକୁମାରୀ ଠାରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା। କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଏହି ଯାତ୍ରା ତାମିଲନାଡୁରୁ ଆରମ୍ଭ ହୋଇ ଶ୍ରୀନଗରରେ ପହଂଚିବାର କାର୍ଯ୍ୟକ୍ରମ ରହିଛି। ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଯେଉଁଠି ଭଲ ପ୍ରଦର୍ଶନ କରି ନ ଥିଲା, ସେହି ସ୍ଥାନଗୁଡ଼ିକୁ ଭାରତ ଯୋଡୋ ଯାତ୍ରା ପହଂଚିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ଗତ ଅକ୍ଟୋବର ୩୧ ତାରିଖରେ ଭାରତ ଯୋଡୋ ଯାତ୍ରା ଆରମ୍ଭ ହୋଇଥିଲା।
