ନୂଆଦିଲ୍ଲୀ,୧୮/୨: ଦେଶରେ ପେଟ୍ରୋଲ ଦର ବଢି ଚାଲିଥିବା ବେଳେ ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ପେଟ୍ରୋଲ ଦର ୧୦୦ ଟଙ୍କା ଛୁଇଁଲାଣି। ଏହି କାରଣରୁ ବିରୋଧୀ ଦଳ ବିରୋଧ ପ୍ରଦର୍ଶନ କରି ପେଟ୍ରୋଲ-ଡିଜେଲ୍ ଦାମ କମ କରିବାକୁ ଦାବି କରୁଛନ୍ତି। ଏବେ ପେଟ୍ରୋଲ ଦର ବୃଦ୍ଧିକୁ ନେଇ କଂଗ୍ରେସ ନେତା ବଲିଉଡ ଅଭିନେତାଙ୍କ ଉପରେ ହମଲା କରିଛନ୍ତି। ମହାରାଷ୍ଟ୍ରରେ କଂଗ୍ରେସ ସଭାପତି ନାନା ପଟୋଲେ ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାରଙ୍କୁ ଟାର୍ଗେଟ୍ କରି ପ୍ରଶ୍ନ କରିଛନ୍ତି ଯେ, କଣ ପାଇଁ ଏବେ ଏହି ଅଭିନେତାମାନେ ତୈଳ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରୁନାହାନ୍ତି।
ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପୋଟଲେ କହିଛନ୍ତି, ବିଶ୍ଵ ବଜାରରେ ଅଶୋଧିତ ତୈଳ ଦର ଅଧିକ ଥିବା ସତ୍ତ୍ଵେ ବି ମନମୋହନ ସିଂହଙ୍କ କାର୍ଯ୍ୟକାଳରେ ପେଟ୍ରୋଲ ଓ ଡିଜେଲ୍ ଦର କମ ରହିଥିଲା। ତଥାପି ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାର ସେହି ସମୟରେ ଟ୍ଵିଟ୍ କରି ଲେଖିଥିଲେ, ପେଟ୍ରୋଲ ୫-୧୦ ଟଙ୍କାରେ ବିକ୍ରି କରାଯାଉ। ଏବେ ଦେଶରେ ନିତିଦିନ ତୈଳ ଦର ବଢି ଚାଲିଛି, ତଥାପି କଣ ପାଇଁ ଏହି ଅଭିନେତାମାନେ ଟ୍ଵିଟ୍ କରୁ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
ସେ କହିଛନ୍ତି, କଣ ଆପଣ ମୋଦୀ ସରକାରଙ୍କ ଚାପରେ ଅଛନ୍ତି ? ଯେଉଁ ଅଭିନେତା ସେହି ଲୋକଙ୍କ ପାଇଁ ମୁହଁ ଖୋଲୁ ନାହାନ୍ତି ଯେଉଁମାନେ ଟିକେଟ୍ କାଟି ଆପଣଙ୍କ ଫିଲ୍ମ ଦେଖିବାକୁ ଯାଉଛନ୍ତି। ତେଣୁ ଏମିତି ଲୋକଙ୍କ ଫିଲ୍ମ ମହାରାଷ୍ଟ୍ରରେ ରିଲିଜ୍ କରାଯିବା ଉଚିତ୍ ନୁହେଁ। ସେମାନଙ୍କୁ ସୁଟିଂ କରିବାକୁ ଦିଆଯିବା କଥା ନୁହେଁ। ଏହା କୌଣସି ଧମକ ନୁହେଁ। ଆପଣମାନେ ଲୋକଙ୍କ ପାଇଁ ଆଦର୍ଶ, ତେଣୁ ଲୋକଙ୍କ ପ୍ରତି ଆପଣଙ୍କର ଉତ୍ତରଦାୟିତ୍ଵ ମଧ୍ୟ ରହିଛି ବୋଲି ମହାରାଷ୍ଟ୍ର କଂଗ୍ରେସ ସଭାପତି କହିଛନ୍ତି।