କଂଗ୍ରେସ ସାଂସଦ ରାଜୀବ ସାତବଙ୍କ ଦେହାନ୍ତ

ମୁମ୍ବାଇ: କରୋନାଭାଇରସ୍‌ ସଂକ୍ରମଣରୁ ଆରୋଗ୍ୟ ହେବାର କିଛି ଦିନ ପରେ ଅନ୍ୟ ଏକ ଭୂତାଣୁଦ୍ବାରା ଆକ୍ରାନ୍ତ ହେବାରୁ ଆଜି ଏକ ଘରୋଇ ଡାକ୍ତରଖାନାରେ କଂଗ୍ରେସର ରାଜ୍ୟସଭା ସାଂସଦ ରାଜୀବ ସାତବଙ୍କର ମୃତ୍ୟୁ ଘଟିଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ୪୬ ବର୍ଷିୟ ନେତା ରାଜୀବଙ୍କୁ ଡାକ୍ତରଖାନାରେ ‘ଭେଣ୍ଟିଲେଟର୍‌’ ସହାୟତାରେ ରଖାଯାଇଥିଲା। କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କର ଘନିଷ୍ଠ ବୋଲି କୁହାଯାଉଥିବା ମହାରାଷ୍ଟ୍ରର ରାଜ୍ୟସଭା ସାଂସଦ ସାତବ ‘କରୋନାଭାଇରସ୍‌+’ ବୋଲି ଏପ୍ରିଲ୍‌ ୨୨ ତାରିଖରେ ଜଣାପଡ଼ିଥିଲା।

ପରେ ସାତବ ‘ସାଇଟୋମେଗାଲୋଭାଇରସ୍‌’ଦ୍ବାରା ସଂକ୍ରମିତ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିଥିଲା। ସେବେଠାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସାଙ୍ଘାତିକ ଥିଲା। ‘ସାଇଟୋମେଗାଲୋଭାଇରସ୍‌’ ହେଉଛି ଗୋଟାଏ ସାଧାରଣ ‘ହର୍ପିଜ୍‌’ ଭୂତାଣୁ। ଶରୀରରେ ସ୍ଥାଣୁ ଅବସ୍ଥାରେ ଥିବା ଏହି ଭୂତାଣୁ ମହିଳାମାନଙ୍କ ଗର୍ଭକାଳରେ ଓ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିବିଶେଷଙ୍କ ଶରୀରରେ ଜଟିଳତା ସୃଷ୍ଟି କରିପାରେ। ସାତବଙ୍କ ମୃତ୍ୟୁ ଖବର ପାଇ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଟୁଇଟର୍‌ରେ ଦୁଃଖ ବ୍ୟକ୍ତ କରି ଲେଖିଛନ୍ତି, ବନ୍ଧୁ ରାଜୀବ ସାତବଙ୍କ ମୃତ୍ୟୁ ଯୋଗୁଁ ଖୁବ୍‌ ଦୁଃଖିତ। କଂଗ୍ରେସର ଆଦର୍ଶକୁ ଆପଣାଇ ନେଇଥିବା ସାତବଙ୍କ ଠାରୁ ଭବିଷ୍ୟତ ଅନେକ କିଛି ଆଶା କରୁଥିଲା। ଆମ ସମସ୍ତଙ୍କ ପାଇଁ ଏହା ବଡ଼ ଧରଣର କ୍ଷତି। ତାଙ୍କ ପରିବାର ପ୍ରତି ମୋର ସମବେଦନା ଓ ସ୍ନେହ। କଂଗ୍ରେସ ନେତା ରଣଦୀପ ସୂରଜୱାଲା ଓ କେସି ବେଣୁଗୋପାଳ ମଧ୍ୟ ସାତବଙ୍କ ମୃତ୍ୟୁ ହେତୁ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି।