ଦାରିଙ୍ଗବାଡ଼ି,୧୮/୬ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅଧ୍ୟକ୍ଷା ପଦକୁ ଶେଷରେ କଂଗ୍ରେସ ହାତେଇବାରେ ସଫଳ ହୋଇଛି। ଧର୍ମଗୁଳାରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ରୁଦା ମଳିକ ବାଜିମାତ୍ କରିଛନ୍ତି। ଅଧ୍ୟକ୍ଷା ପଦ ପାଇଁ ବିଜେଡି ସମର୍ଥିତ ବାଡ଼ାବାଙ୍ଗା ଗ୍ରାମପଞ୍ଚାୟତର ସମିତିସଭ୍ୟା ନମିତା ପ୍ରଧାନ ଓ କଂଗ୍ରେସ ସମର୍ଥିତ ତାଜୁଙ୍ଗି ଗ୍ରାମପଞ୍ଚାୟତ ସମିତିସଭ୍ୟା ରୁଦା ମଳିକ ନାମାଙ୍କନ ଦାଖଲ କରିଥିଲେ। ଦୁଇ ଦଳ ନିଜ ସମର୍ଥନରେ ୧୨ ଜଣ ଲେଖାଏଁ ସମିତିସଭ୍ୟ ଓ ସଭ୍ୟାଙ୍କୁ ପ୍ରସ୍ତୁତ କରିଥିଲେ। ମୋଟ ୨୪ଜଣ ଭୋଟଦାନ କରିଥିବା ବେଳେ ଦୁଇ ପ୍ରାର୍ଥୀ ନମିତା ଓ ରୁଦାଙ୍କୁ ସମାନ ୧୨ ଖଣ୍ଡ ଲେଖାଏଁ ଭୋଟ ମିଳିଥିଲା। ଫଳରେ ଉଭୟ ଦଳ କ୍ରସ୍ ଭୋଟିଂ ହେବା ନେଇ ଯେଉଁ ଆଶା ବାନ୍ଧିଥିଲେ ତାହା ମଉଳି ଯାଇଥିଲା। ଶେଷରେ ଧର୍ମଗୁଳା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ନିର୍ବାଚନ ଅଧିକାରୀ ତଥା ବାଲିଗୁଡ଼ା ବିଡିଓ ନରେଶ ଚନ୍ଦ୍ର ଶବର ନିର୍ବାଚନ ପଞ୍ଚାୟତ ସମିତି ଆଇନ ୪୪ ଧାରା ଓ ଉପଧାରା ୨ ପ୍ରକାରେ ଧର୍ମଗୁଳା ପକାଇ ଉଭୟ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଥିଲେ। ଶେଷରେ କଂଗ୍ରେସ ବାଜି ମାରି ନେଇଥିଲା। ରୁଦା ମଳିକ ଅଧ୍ୟକ୍ଷା ପଦବି ହାତେଇବାରେ ସଫଳ ହୋଇଥିଲେ।