ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷ ପଦ ହାତେଇଲା କଂଗ୍ରେସ

ଜଗତସିଂହପୁର,୨୬/୩: ଜଗତସିଂହପୁର ପୌର ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଜଗତସିଂହପୁର ପୌର ପରିଷଦରେ କଂଗ୍ରେସ ପ୍ରାର୍ଥୀ ଅର୍ଚ୍ଚନା ସିଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମହାପାତ୍ରଙ୍କ ଠାରୁ ୨୨୦ ଖଣ୍ଡ ଭୋଟ ଵ୍ୟଵଧାନରେ ବିଜୟ ହାସଲ କରିଛନ୍ତି । ଜଗତସିଂହପୁର ପୌରବାସୀ ପୁଣିଥରେ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ତେବେ ଏଠାରେ ମୋଟ ୨୧ଟି ୱାର୍ଡ ମଧ୍ୟରୁ ବିଜେଡିର ୯ ଜଣ କାଉନସିଲର ପ୍ରାର୍ଥୀ ବିଜୟ ହାସଲ କରିଥିବା ବେଳେ କଂଗ୍ରେସକୁ ୭ଟି ଆସନ ମିଳିଛି । ସେହିପରି ଏଠାରେ ପ୍ରଥମ ଥର ପାଇଁ ବିଜେପିର ୨ ଜଣ କାଉନସିଲର ପ୍ରାର୍ଥୀ ବିଜୟ ହାସଲ କରି ଖାତା ଖୋଲି ଥିବା ବେଳେ ୩ ଜଣ ସ୍ୱାଧୀନ କାଉନସିଲର ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି ।

ସେହିପରି ଜଗତସିଂହପୁର ଜିଲ୍ଲାର ପାରାଦୀପ ପୌର ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ପାରାଦୀପ ପୌର ପରିଷଦରେ ବିଜେଡି ପୌରାଧକ୍ଷ ପ୍ରାର୍ଥୀ ବସନ୍ତ କୁମାର ବିଶ୍ବାଳ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସ୍ୱାଧୀନ ପ୍ରାର୍ଥୀ ଦେଵବ୍ରତ ସାହୁଙ୍କ ଠାରୁ ୮୭୬୦ ଖଣ୍ଡ ଭୋଟ ଵ୍ୟଵଧାନରେ ବିଜୟ ହାସଲ କରି ଲଗାତାର ଦ୍ୱିତୀୟ ଥର ପାଇଁ ପୌରାଧ୍ୟକ୍ଷ ହେବାର ସୌଭାଗ୍ୟ ହାସଲ କରିଛନ୍ତି ।

ପାରାଦୀପରେ ବିଜେଡି ୧୯ଟି ୱାର୍ଡ ମଧ୍ୟରୁ ବାପି ସର୍ଖେଲଙ୍କ ସମର୍ଥିତ ‘ଆମ ପାରାଦୀପ ଆମ ପ୍ରଗତି’ ବ୍ୟାନରରେ ଲଢ଼ୁଥିବା ସ୍ୱାଧୀନ କାଉନସିଲର ପ୍ରାର୍ଥୀ ୮ଟି ୱାର୍ଡରେ ବିଜୟ ହାସଲ କରିଥିବା ବେଳେ ବିଜେଡିକୁ ୭ଟି, କଂଗ୍ରେସକୁ ୧ଟି ଓ ବିଜେପିକୁ ୩ଟି ଆସନ ମିଳିଛି । ଜଗତସିଂହପୁରରେ ବିଜେଡିର ଅନ୍ତର୍ଦ୍ୱନ୍ଦ ଯୋଗୁଁ ଦଳ ପରାଜୟ ବରଣ କରିଥିବାର ସମୀକ୍ଷକ ମହଲରେ ଆଲୋଚନା ହେଉଥିବା ବେଳେ ପାରାଦୀପରେ ବାପି ସର୍ଖେଲଙ୍କ ଶକ୍ତି ପଦର୍ଶନ ତାଙ୍କର ଆଗାମୀ ଦିନର ଲକ୍ଷକୁ ସଫଳ କରାଇବ ବୋଲି ଚର୍ଚ୍ଚା ହେଉଛି ।