ଧାରା ୩୭୦ ପ୍ରସଙ୍ଗରେ ଦିଗବିଜୟଙ୍କ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ସରକାର ଅଗଷ୍ଟ ୨୦୧୯ରେ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି। ଏହାକୁ ଆରମ୍ଭରୁ ବେଆଇନ କହି କଂଗ୍ରେସ ସ୍ୱର ଶାଣିତ କରିଛି। ପାକିସ୍ତାନ ମଧ୍ୟ ସମାନ ଦାବି କରୁଛି। ଏହାରି ଭିତରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ କ୍ଲବ ହାଉସ ଆପର ଏକ ଅଡିଓ ଭାଇରାଲ ହୋଇଛି। ଏହି ଅଡିଓରେ ଦିଗବିଜୟ ସିଂହ କହିଛନ୍ତି କଂଗ୍ରେସ କ୍ଷମତାକୁ ଆସିଲେ ଧାରା ୩୭୦ ବାବଦରେ ପୁନର୍ବିଚାର କରିବ। ଧାରା ୩୭୦ ଉଚ୍ଛେଦ ବେଳେ କଶ୍ମୀରରେ ଗଣତନ୍ତ୍ର ନଥିଲା ବୋଲି ଦିଗବିଜୟ କହିଛନ୍ତି। ଏହାକୁ ନେଇ ବିଜେପି ମଧ୍ୟ ବାଣ ମାରିଛି। ବିରୋଧୀ ମୋଦିକୁ ବିରୋଧ କରିବାକୁ ଯାଇ ଦେଶ ବିରୋଧରେ କାମ କରିବା ଗ୍ରହଣୀୟ ନୁହେଁ। ତୁଷ୍ଟିକରଣ ରାଜନୀତି କରିବାକୁ ଯାଇ କଂଗ୍ରେସ ପାକିସ୍ତାନର ସହଯୋଗ ନେଉଛି ବୋଲି ବିଜେପି କହିଛି।

ଦିଗବିଜୟଙ୍କ ଏହି କ୍ଲବ ହାଉସ ଆପର ଅଡିଓ ମେ ୧୨ର ବୋଲି ଜଣାପଡ଼ିଛି। ଦିଗବିଜୟ କ୍ଲବ ହାଉସ ଆପରେ ଜଣେ ପାକିସ୍ତାନ ସାମ୍ୱାଦିକ ଶାହଜେବଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। କ୍ଲବ ହାଉସ ଆପର ଅଡିଓ କ୍ସିପରେ ଦିଗବିଜୟ ସିଂ ଧାରା ୩୭୦କୁ ପୁନଃ ଲାଗୁ କରାଯିବ ବୋଲି ସେ ପରୋକ୍ଷରେ କହିଛନ୍ତି। ତେବେ ଅଡିଓର ସତ୍ୟତାକୁ ନେଇ ସୁନିଶ୍ଚିତ ହୋଇନାହିଁ।