ଭୁବନେଶ୍ୱର: ଭୁବନେଶ୍ୱର ତମାଣ୍ଡୋ ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗରେ ଭୁବନେଶ୍ୱର କମିସନରେଟ ପୁଲିସ ତମାଣ୍ଡୋ ଥାନାର ଜଣେ ପୁଲିସ କର୍ମଚାରୀ ବିଜୟ ଗୋଚ୍ଛାୟତଙ୍କ ପୁଅ ଯାମିନୀକାନ୍ତ ଗୋଚ୍ଛାୟତଙ୍କୁ ଗିରଫ କରିଛି । ଶ୍ୱଶୁର ଘର ପରିବାର ଲୋକଙ୍କ ଏତଲା କ୍ରମେ ମାମଲା ରୁଜୁ କରିବା ସହ ଆଜି ମୃତ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଛି। ଗତକାଲି କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କ ଶବ ବ୍ୟବଚ୍ଛେଦ ହୋଇଥିଲା। ମୃତ ମହିଳାଙ୍କ ବେକରେ ରଶି ଲଗା ଦାଗ ସ୍ପଷ୍ଟ କରୁଥିଲା ଯେ, ତାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଛି। ୮ ମାସ ତଳେ ଦୁହିଁଙ୍କ ବାହାଘର ହୋଇଥିଲା।
ସୂଚନାଯୋଗ୍ୟ ଯେ, ବନ୍ଦନା ଜେନା ଓ ଯାମିନୀକାନ୍ତ ଗତ ଫେବ୍ରୁଆରି ୧୬ରେ ବୈଦିକ ରୀତିରେ ବିବାହ କରିଥିଲେ । କିନ୍ତୁ ବିବାହ ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ସ୍ୱାମୀ ଏବଂ ଶ୍ୱଶୁର ମିଶି ଯୌତୁକ ନିର୍ଯାତନା ଦେଉଥିବା ମୃତ ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ପାରିପାରିକ କଳହର ସମାଧାନ ପାଇଁ ବନ୍ଦନାଙ୍କ ପରିବାର ଲୋକେ ଶନିବାର ଦିନ ତାଙ୍କ ଶାଶୁ ଘରକୁ ଯାଇଥାନ୍ତେ । କିନ୍ତୁ ଏହା ପୂର୍ବରୁ ବନ୍ଦନାଙ୍କ ମୃତ୍ୟୁ ସଂପର୍କରେ ଟେଲିଫୋନ ମାଧ୍ୟମରେ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା ।