ବିଧାନସଭା ଶୀତ ଅଧିବେଶନ ପାଇଁ ଆଜିଠୁ ବିଧାୟକଙ୍କ କରୋନା ଟେଷ୍ଟ : ନେଗେଟିଭ ଚିହ୍ନଟ ହେଲେ ମିଳିବ ପ୍ରବେଶ ଅନୁମତି

ଭୁବନେଶ୍ୱର, ୧୭/୧୧ : କରୋନା କଟକଣା ମଧ୍ୟରେ ଆସନ୍ତା ୨୦ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଜିଠାରୁ ୩ ଦିନ ଯାଏଁ ସମସ୍ତଙ୍କର କରୋନା ଟେଷ୍ଟ ହେବ ବୋଲି କୁହାଯାଇଛି । ଅଧିବେଶନ ପୂର୍ବରୁ ବିଧାୟକ, ମନ୍ତ୍ରୀ, ସେମାନଙ୍କ ବ୍ୟକ୍ତିଗତ ସଚିବ, ସହାୟକ ଏବଂ ବିଧାନସଭା କର୍ମଚାରୀଙ୍କର କୋଡିଭ୍ ଟେଷ୍ଟ ହେବ । ଏଥିପାଇଁ ବିଏମ୍‌ସି ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।

ବିଧାନସଭା ଭିତରକୁ ଯାଉଥିବା ସମସ୍ତ ସାମ୍ବାଦିକଙ୍କର ମଧ୍ୟ କୋଭିଡ ଟେଷ୍ଟ ବାଧ୍ୟତାମୂଳକ ହୋଇଛି । ପଜିଟିଭ୍‌ ଚିହ୍ନଟ ହେଲେ ବିଧାନସଭାକୁ ପ୍ରବେଶ ଅନୁମତି ମିଳିବ ନାହିଁ ।

ଆସନ୍ତା ୧୭, ୧୮ ଓ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ସମସ୍ତଙ୍କ କୋଭିଡ୍ ଟେଷ୍ଟ କରାଯିବା ସହ ପରେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ସମସ୍ତଙ୍କ ଟେଷ୍ଟ କରାଯିବ । ଏହାସହ ପ୍ରତିଦିନ ବିଧାନସଭା ପରିସରକୁ ସାନିଟାଇଜ କରାଯିବ । ସଦସ୍ୟମାନେ ଭିଡିଓ କନଫରେନ୍ସିଂରେ ମଧ୍ୟ ଭାଗ ନେଇପାରିବେ।