ରାଜ୍ୟରେ ପୁଣି ୫୪୩ ପଜିଟିଭ୍ ଚିହ୍ନଟ, ୧୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୭୪

ଭୁବନେଶ୍ୱର, ୧୪/୭ : ରାଜ୍ୟରେ ଆଜି ଆଉ ୫୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୫୪୩ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୨୮୦ ରେ ପହଞ୍ଚିଛି। ଆଜି ଚିହ୍ନଟ ୫୪୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୫୪ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଏବଂ ୧୮୯ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୪୭ ହଜାର ୨୨୬ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୧୪ ହଜାର ୨୮୦ ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୯ ହଜାର ୨୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ୨୧ ଜଣ କରୋନା ଆକ୍ରାନ୍ତଙ୍କ ଅନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ୪ ହଜାର ୯୨୯ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।