ଭୁବନେଶ୍ୱର,୧୨/୫: କରୋନାର ଦ୍ଵିତୀୟ ସଂକ୍ରମଣକୁ ନେଇ ପ୍ରତିଦିନ କିଛି ନା କିଛି ପରିବର୍ତ୍ତନ ହେଉଥିବାରୁ ସାଧାରଣ ହିତାଧିକାରୀ ନାହିଁ ନ ଥିବା ଅସୁବିଧା ଭୋଗ କରୁଛି। ଆଜି କେନ୍ଦ୍ର ସରକାରଙ୍କୁ କରୋନା ସଂକ୍ରମଣ ପରିଚାଳନା କ୍ଷେତ୍ରରେ ପ୍ରତିନିଧିତ୍ବ କରୁଥିବା ବୈଜ୍ଞାନିକଙ୍କ ମତ ଅନୁଯାୟୀ, କୋଭିସୀଲଡ଼ ଟିକାର ଦ୍ଵିତୀୟ ଡୋଜ ନେବାରେ ଡେରି ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ବୋଲି କହିବା ପରେ, ଏହି ଟିକାର ପ୍ରଥମ ଡୋଜ ପରେ ଦ୍ଵିତୀୟ ଡୋଜ ପାଇଁ ଅପେକ୍ଷା କରିଥିବା ଓ ଟିକା ଗ୍ରହଣ କେନ୍ଦ୍ରରୁ ବାରମ୍ବାର ଫେରୁଥିବା ହିତାଧିକାରୀ ସନ୍ଦେହରେ ପଡିଛନ୍ତି।
ପ୍ରଥମେ ଦୁଇଟି ଡୋଜ ମଧ୍ୟରେ ୪ ସପ୍ତାହ ଓ ଆଜିର ଘୋଷଣା ମୁତାବକ ୬ ସପ୍ତାହ ବ୍ୟବଧାନ ଲୋକମାନଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି। କେବଳ ସେତିକି ନୁହେଁ, ଏକ ସପ୍ତାହ ପୂର୍ବରୁ ‘କୋୱିନ୍’ ପୋର୍ଟାଲରେ ବୁକିଂ ହୋଇଥିବା ସମସ୍ତ ସ୍ଲଟ ବାତିଲ ହୋଇଯାଇଥିବା ବେଳେ ପୋର୍ଟାଲରେ ନ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକାକରଣ ହେଉଥିବା ଏବଂ ପୋର୍ଟାଲରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ସ୍ଲଟ ଫାଙ୍କା ନ ଥିବା ସମସ୍ୟାକୁ ଦ୍ବିଗୁଣିତ କରିଛି। ସରକାରୀ ସୂଚନା ମୁତାବକ, କରୋନା ପ୍ରତିଷେଧକ ଟିକାର ଦ୍ଵିତୀୟ ଡୋଜ ନେବାର ପ୍ରାୟ ୧ ମାସ ପରେ ରୋଗ ପ୍ରତିଷେଧକ ଶକ୍ତି ଦେହରେ ସୃଷ୍ଟି ହୋଇଥାଏ ତେଣୁ ଆଜିର ଘୋଷଣା ମୁତାବକ ପ୍ରଥମ ଡୋଜ କୋଭିସୀଲଡ଼ ଟିକା ନେଇଥିବା ବ୍ୟକ୍ତି ଯେଉଁମାନେ ଦ୍ଵିତୀୟ ଡୋଜ ନେଇନାହାନ୍ତି, ସେମାନେ କରୋନା ମହାମାରୀ ସଂକ୍ରମଣର ଶିକାର ହେବା ସମ୍ଭାବନା ବୃଦ୍ଧି ପାଇବ।
ଏହି ଘୋଷଣା ପରେ ଆଜି ‘କୋୱିନ୍’ ପୋର୍ଟାଲରେ ଦ୍ଵିତୀୟ ଡୋଜ ଟିକା ନେବାର ତାରିଖ ମଧ୍ୟ ପରିବର୍ତ୍ତନ ହୋଇଯାଇଛି। ଏହି ଟିକା ଆସିବା ପରେ ୪ ସପ୍ତାହ ଓ ଆଜି ୬ ସପ୍ତାହ ବ୍ୟବଧାନ ଘୋଷଣା ଲୋକଙ୍କୁ ସନ୍ଦେହରେ ପକାଇଛି। ଦ୍ଵିତୀୟ ଡୋଜ ଟିକା ନେବାକୁ ଅପେକ୍ଷା କରିଥିବା କିଛି ହିତାଧିକାରୀ କହିଛନ୍ତି ଯେ ଯଦି ୬ ସପ୍ତାହ ବ୍ୟବଧାନ ରହିପାରିବ, ତାହା ପ୍ରଥମରୁ କାହିଁକି ଘୋଷଣା କରାଗଲା ନାହିଁ ଓ ଏହି ନିୟମ ଅନୁଯାୟୀ ସମସ୍ତଙ୍କୁ କେବଳ ପ୍ରଥମ ଡୋଜ ଟୀକାକରଣ କାହିଁକି କରାଗଲା ନାହିଁ।