ଆମ୍ବୁଲାନ୍ସ ଆସିଲାନି, ବାପାଙ୍କ ଶବକୁ କାର ଉପରେ ବାନ୍ଧି ଶ୍ମଶାନ ନେଲା ପୁଅ

ଆଗ୍ରା,୨୫/୪: ହସ୍ପିଟାଲରେ ବେଡ୍‌ ମିଳୁନଥିବା ବେଳେ ମେଡିକାଲ୍‌ ଅକ୍ସିଜେନ୍‌ର ଅଭାବ ପାଇଁ ମଣିଷ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ତାଠୁ ବଳି ଯାଇଛି ଅନ୍ତିମ ସଂସ୍କାର ପାଇଁ ଜାଗା ମିଳୁନାହିଁ। ଶବ ଦାହ ପାଇଁ କିଛି ସ୍ଥାନାରେ ଫାଙ୍କା ଥିଲେ ବି ଶବ ନେବାକୁ ମିଳୁନି ଆମ୍ବୁଲାନ୍ସ । ଆଗ୍ରାର ବୁଜ କ୍ଷେତ୍ରରେ ପ୍ରତି ଦିନ ଏମିତି କିଛି ହୃଦୟ ବିଦାରକ ଦୃଶ୍ୟ ସମସ୍ତଙ୍କ ମୁହଁରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି ।

ଆମ୍ବୁଲାନ୍ସ ମିଳିନଥିବାରୁ ପୁଅ ତା ବାପାଙ୍କ ମୃତଦେହକୁ କାର ଛାତରେ ବାନ୍ଧି ଶ୍ମଶାନ ନେଇ ଯାଇଛି । ଏଭଳି ଦୃଶ୍ୟ ଦେଖିବା ପ​‌ରେ ଶବଦାହ ସ୍ଥାନରେ ଥିବା ଲୋକଙ୍କ ଆଖିରୁ ଲୁହ ଝରିଆସିଛି । କିଛି ଘଣ୍ଟା ପରେ ପାଳି ପଡ଼ିବାରୁ ପୁଅ ନିଜର ପିତାଙ୍କ ଶବକୁ କାର ଛାତରୁ ତଳକୁ ଆଣିବା ପରେ ଶବ ସଂସ୍କାର ପ୍ରକ୍ରିୟା ପୂରା କରିଥିଲା । ଏ ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ସେପଟେ ଛାତି ଥରାଇବା ଭଳି ଖବର ଭିତରେ କିଛି ରାଜନେତା ରାଜନୀତି କରିବାକୁ ଭୁଲୁନାହାନ୍ତି। ସମାଜବାଦି ପାର୍ଟିର ଜିଲ୍ଲା ଅଧ୍ୟକ୍ଷ ରାମ ଗୋପାଳ ବଘେଲ କହିଛନ୍ତି ରାଜ୍ୟ ଏବଂ ଦେଶରେ ସ୍ଥିତି ଖରାପ ପାଇଁ ଉଭୟ ସରକାର ଦାୟୀ। ରାଜ୍ୟରେ ଅକ୍ସିଜେନ୍‌, ବେଡ୍‌ ଏବଂ ଔଷଧର ଅଭାବ ସ୍ପଷ୍ଟ ବାରି ହୋଇପଡ଼ୁଥିବା ବେଳେ ସମସ୍ତେ ଏବେ ଦୋଷ ଠେଲା ଠେଲି ହେଉଥିବା ଦେଖିବାକୁ ମିଳିଛି।