କୋଭିଡ-୧୯ ନିର୍ଦ୍ଦେଶାବଳୀ ଫେବୃଆରୀ ୨୮ ଯାଏଁ ବଢ଼ିଲା

ନୂଆଦିଲ୍ଲୀ,୨୭ /୧: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା କୋଭିଡ-୧୯ ନିର୍ଦ୍ଦେଶାବଳୀ ଜାନୁଆରୀ ୩୧ରେ ଶେଷ ହେଉଛି। ନୂତନ କୋଭିଡ-୧୯ ନିର୍ଦ୍ଦେଶାବଳୀକୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ନୂତନ ନିର୍ଦ୍ଦେଶାବଳୀରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସତର୍କତା ବଜାୟ ରଖିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଏଥିରେ ସ୍ବରାଷ୍ଟ୍ର ମନ୍ତ୍ରାଳୟ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଏବଂ ଏସଓପି ପାଳନ ଉପରେ କଡାକଡି ଧ୍ୟାନ ଦେବାକୁ କୁହାଯାଇଛି।

ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ସ୍ଥାନୀୟ ଜିଲ୍ଲା, ପୁଲିସ ଏବଂ ପୌରପାଳିକା କର୍ତ୍ତୃପକ୍ଷ ନିର୍ଦ୍ଦିଷ୍ଟ କଣ୍ଟେନମେଣ୍ଟ ନିୟମ ପାଳନ ଦିଗରେ ପଦକ୍ଷେପ ଗ୍ରହଣ କରିବେ ଓ ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳ ସରକାର ଏହି ପ୍ରସଙ୍ଗରେ ସମ୍ପୃକ୍ତ ଅଧିକାରୀଙ୍କ ଉତ୍ତରଦାୟିତ୍ୱ ନିଶ୍ଚିତ କରିବେ। ପୂର୍ବ ପରି କୋଭିଡ ୧୯ ଉପଯୁକ୍ତ ଆଚରଣକୁ ପ୍ରୋତ୍ସାହିତ କରିବା, ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ପାଳନ ପାଇଁ ରାଜ୍ୟ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ।