ରାଜ୍ୟରୁ ଅବାଧ ଗୋଚାଲାଣ, ପ୍ରଶାସନ ଜଳକା

ଭୁବନେଶ୍ୱର,୬ /୯ – (ପ୍ରଦୀପ୍ତ କୁମାର ଦାସ) : ରାଜ୍ୟରୁ ପଡୋଶୀ ରାଜ୍ୟକୁ ଅବାଧରେ ବେଆଇନ ଗୋଚାଲାଣ ହେଉଛି.ମାତ୍ର ପ୍ରଶାସନ ସବୁଜାଣି ଅଜଣା ଭଳି ଉଦାସୀନତା ପ୍ରଦର୍ଶନ କରିଆସୁଥିବାରୁ ଏଭଳି ବେଆଇନ କାର୍ଯ୍ୟକୁ ରୋକାଯାଇପାରୁନି । ଏହାର ସୁଯୋଗନେଇ ନିୟମିତଭାବେ ଗୋମାଫିଆମାନେ ଏପରି କଳାକାରନାମା ଚଳାଇଆସୁଛନ୍ତି । ଏହି କ୍ରମରେ ଆଜି ସକାଳେ ଏକ ପିକଅପ ଭ୍ୟାନରେ ଚୋରାଚାଲାଣ ବେଳେ ଜଗତପୁରରୁ ୧୨ ଗୋରୁଙ୍କୁ ରାଷ୍ଟ୍ରିୟ ବଜରଙ୍ଗ ସେନାକର୍ମୀ ତଥା ସ୍ବେଛାସେବୀମାନେ ଉଦ୍ଧାର କରିଥିଲେ ।

ସେହିପରି ଗତକାଲି ଅପରାହ୍ନରେ ଚୌଦ୍ୱାର ଥାନା ଅନ୍ତର୍ଗତ କଖଡି ଧବଳେଶ୍ୱରରୁ ୧୧ ଗୋରୁଙ୍କୁ ମଧ୍ୟ ଚୋରାଚାଲାଣ ବେଳେ ଉଦ୍ଧାର କରିଥିଲେ ସମ୍ପୃକ୍ତ ସେନାକର୍ମୀମାନେ, ତେବେ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ସେନାକର୍ମୀମାନେ କାବୁକରିଥିବାବେଳେ କିଛି ବ୍ୟକ୍ତି ସେଠାରୁ ଖସି ପଳାଇଥିଲେ, ତାକୁ ସ୍ଥାନୀୟ ପୋଲିସ ଗିରଫ କରିବା ସହ ଦୁଇଟି ଗାଡିକୁ ଜବତ ଜବତ କରିଛି । ଏ ସଂକ୍ରାନ୍ତରେ ଉପରୋକ୍ତ ଥାନାରେ ଦୁଇଟି ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଛି । ଉଦ୍ଧାର ଗୋରୁମାନଙ୍କୁ ନିକଟସ୍ଥ ଗୋଶାଳା ହେପାଜତରେ ରଖାଯାଇଛି । ସେହିପରି ଗତ ଅଗଷ୍ଟରେ ଖଣ୍ଡଗିରି ଅଂଚଳରୁ ଏହି ସେନାକର୍ମୀ ମାନେ ଚୋରାଚାଲାଣ ବେଳେ ପନ୍ଦର ଗୋରୁଙ୍କୁ ଉଦ୍ଧାରକରିବାସହ ବ୍ୟବହୃତ ଗାଡି ଓ ସମ୍ପୃକ୍ତ ଏକାଧିକ ବ୍ୟକ୍ତିଙ୍କୁ ଧରି ପୋଲିସ ଜିମା ଦେଇଥିଲେ । ସେହିପରି ଜୁଲାଇରେ କଣ୍ଟିଲୋ ଥାନା ଅଂଚଳରୁ ୮୮ ଗୋରୁଙ୍କୁ ଚୋରା ଚାଲାଣ ବେଳେ ଉଦ୍ଧାର କରାଯିବା ସହ ଦୁଇଟି ବଡ଼ଲରିକୁ ଜବତକରି ଏଥିରେ ସମ୍ପୃକ୍ତ ଅନେକ ବ୍ୟକ୍ତିଂକୁ ଗିରଫ କରାଯାଇଥିଲା ।

ଏହାଛଡା କିଛିଦିନ ତଳେ ଯାଜପୁର ଡ଼ୁବୁରୀ ଅଂଚଳରୁ ଚୋରା ଚାଲାଣ ବେଳେ ବହୁପରିମାଣରେ ଗୋମାଂସ ସହ ଏକ ବଡ଼ କଣ୍ଟେନର ଲରିକୁ ସମ୍ପୃକ୍ତ ସେନା କର୍ମୀମାନେ ଧରି ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ । ମାତ୍ର ଜଣେ ସ୍ଥାନୀୟ ପ୍ରଭାବଶାଳୀ ନେତା ଏହି ମାମଲାକୁ ରଫାଦଫା କରିବାକୁ ଚାପ ପକାଇ ଚାପିବାକୁ ଉଦ୍ୟମ କରିଥିଲେ । ମାତ୍ର ସେନା କର୍ମୀଙ୍କ ପ୍ରବଳ ବିରୋଧ ହେବାରୁ ଜବତ ଗୋମାନ୍ସକୁ ସେଠାରେ ଗାତଖୋଳି ପୋତିଦିଆଯାଇଥିଲା । ଏହାର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏରୁ ଉର୍ଧ୍ଵ ହେବ । ସେହିପରି ଦୁଇମାସ ତଳେ ସାଲେପୁର ଅଂଚଳରୁ ଚୋରାଚାଲାଣ ବେଳେ ଗାଡିସହ ପ୍ରାୟ ବହୁ ପରିମାଣରେ ଗୋରୁଚମଡା ଜବତ କରାଯାଇଥିଲା । ଏଥିରେ ସମ୍ପୃକ୍ତ ଏକାଧିକ ବ୍ୟକ୍ତିଂଙ୍କୁ ମଧ୍ୟ ଗିରଫ କରାଯାଇଥିଲା,ଏନେଇ ସ୍ଥାନୀୟ ପୋଲିସରେ ଅଭିଯୋଗ ପରେ ଏକ ମାମଲା ରୁଜୁକରାଯାଇ ତଦନ୍ତ ଚାଲୁରହିଥିବା ଜଣାପଡିଛି । ତେବେ ବିଡମ୍ବନାର ବିଷୟ ଯେ ପୂର୍ବରୁ ଏପରି ଅଧିକାଂଶ ଘଟଣାରେ ଘଟଣାରେ ସ୍ବେଛାସେବୀ ବଜରଙ୍ଗସେନା କର୍ମୀମାନେ ଏପରି ବେଆଇନ କାରବାରକୁ ରୋକିବା ଦିଗରେ ବେଶ ସକ୍ରିୟ ଭୂମିକା ନିଭାଇ ଆସୁଥିବାବେଳେ ସରକାରୀ ସ୍ତରରେ ପ୍ରଶାସନ କୋହଳ ଆଭିମୁଖ୍ୟ ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି । ଫଳରେ ଏନେଇ ବୁଦ୍ଧିଜୀବୀଙ୍କ ମହଲରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।