ବାପୁଜିନଗର ମାର୍କେଟରେ ପୋଲିସ କମିଶନର, କୋଭିଡ କଟକଣା ନେଇ ଲୋକଙ୍କୁ ଚେତାଇଲେ

ଭୁବନେଶ୍ୱର,୫ /୧୦- (ପ୍ରଦୀପ୍ତ କୁମାର ଦାସ) : କୋଭିଡ କଟକଣାକୁ କଡାକଡି ପାଳିବାକୁ ସୋମବାର ସନ୍ଧ୍ୟାରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଭୁବନେଶ୍ୱର ବାପୁଜିନଗର ମାର୍କେଟ ଅଂଚଳରେ ବୁଲିଥିଲେ । ଏହି କ୍ରମରେ ସେ ସ୍ଥାନୀୟ ଭଦ୍ରବ୍ୟକ୍ତି ଓ ବ୍ୟବସାୟୀମାନଙ୍କ ସହ ଭାବ ବିନିମୟ ମଧ୍ୟ କରିଥିଲେ । ରାଜଧାନୀରେ କରୋନା ମହାମାରୀ ସଂକ୍ରମଣକୁ ପ୍ରତିହତ କରିବାଲାଗି ସେ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରାଇବା ସହ ଏହାକୁ ସଠିକ ଭାବେ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ । ଯେଉଁମାନେ ଏହି ନିୟମକୁ ବେଖାତିର କରି ନିଜପାଇଁ ଓ ଅନ୍ୟମାନଙ୍କ ପାଇଁ ସଂକ୍ରମଣର ବିପଦ ସୃଷ୍ଟି କରୁଛନ୍ତି, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସେ ଚେତାବନୀ ଦେଇଥିଲେ । ଏଥିପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ତେବେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏହାକୁ ଏବେଠାରୁ ବିଶେଷଭାବେ ଦୃଷ୍ଟିରେ ରଖି ଆଇନ ଉଲଂଘନ କରୁଥିବା ଲୋକଙ୍କ ବିରୋଧରେ ଜୋରଦାର ଚେକିଂ କରାଯାଇ ଗହଳିରୁ ଦୂରେଇବା,ଉଚିତ ଭାବେ ମାସ୍କପିନ୍ଧିବା ଓ ସୋସିଆଲ ଡିଷ୍ଟାନ୍ସିଂ ପ୍ରକ୍ରିୟା ପାଳନ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ଏହି ଅବସରରରେ ତାଙ୍କ ସହ କମିସନରେଟ ପୋଲିସର ଅନ୍ୟ ପଦାଧିକାରୀ ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ।