ଲକ୍ଷ୍ମୌ,୧୮ /୪ : ଲକ୍ଷ୍ମୌରେ କରୋନା ସଂକ୍ରମିତ ହୋଇ ଅନେକ ଲୋକଙ୍କ ମୃତ୍ୟୁ ହେଉଛି। ଏଭଳି ପରିସ୍ଥିତି ଆସି ପହଞ୍ଚିଛି କି ଅନ୍ତିମ ସଂସ୍କାର କରିବାକୁ ଶ୍ମଶାନରେ ସ୍ଥାନ ମିଳୁ ନାହିଁ। ମୃତକ ପରିବାର ଲୋକଙ୍କୁ ଶ୍ମଶାନ ବାହାରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି।
ରିପୋର୍ଟ ମୁତାବକ, ଲକ୍ଷ୍ମୌର ଆଲମବାଗ ଅଞ୍ଚଳସ୍ଥିତ ନହର ଶବଦାହ ଗୃହରେ କରୋନା ସଂକ୍ରମିତଙ୍କ ମୃତଦେହ ସଂସ୍କାର କରିବା ପାଇଁ ବହୁ ସଂଖ୍ୟାରେ ଲୋକେ ଆସି ପହଞ୍ଚୁଛନ୍ତି। ଏଠାରେ ପ୍ରତିଦିନ ୬୦ଜଣଙ୍କ ମୃତଦେହର ଅନ୍ତିମ ସଂସ୍କାର କରାଯାଉଛି। ଲୋକମାନଙ୍କୁ ଶ୍ମଶାନଘାଟରେ ଶବ ସଂସ୍କାର କରିବା ପାଇଁ ଅନେକ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ଏଭଳି ପରିସ୍ଥିତିରେ ମୃତକଙ୍କ ପରିବାର ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାପରେ ବି ସେମାନଙ୍କ ପାଳି ଆସୁନାହିଁ। ଶେଷରେ ଧୌର୍ଯ୍ୟହରା ହୋଇ ମୃତଦେହକୁ ଶ୍ମଶାନ ବାହାରେ ଛାଡ଼ି ଚାଲି ଯାଉଛନ୍ତି ପରିବାରଲୋକେ।
ଆଲମବାଗସ୍ଥିତ ନହର ଶବଦାହ ଗୃହରେ ଲୋକଙ୍କ ଅନ୍ତିମ ସଂସ୍କାର କାମ କରୁଥିବା ନିତିନ ପଣ୍ଡିତ କହନ୍ତି, କିଛି ଲୋକ ଗୋରଖପୁରରୁ କରୋନା ସଂକ୍ରମିତଙ୍କ ମୃତଦେହର ଅନ୍ତିମ ସଂସ୍କାର ପାଇଁ ଆସିଥିଲେ। ସେହି ସମୟରେ ଶ୍ମଶାନରେ ଶବଦାହ ପାଇଁ ସ୍ଥାନ ନଥିଲା। ଅନେକ ସମୟ ଅପେକ୍ଷା କରିବା ପରେ ବି ସେମାନଙ୍କ ପାଳି ନଆସିବାରୁ ଶ୍ମଶାନ ଦ୍ବାର ପାଖରେ ମୃତଦେହ ରଖି ପରିବାରଲୋକ ଘରକୁ ଚାଲି ଯାଇଥିଲେ। ଶେଷରେ ରାତି ୧୨ଟାରେ ସଫେଇ କର୍ମଚାରୀଙ୍କ ସହ ମିଶି ଉକ୍ତ ମୃତଦେହର ଅନ୍ତିମ ସଂସ୍କାର କରାଯାଇଥିଲା।