ଭୁବନେଶ୍ବର : ରାଜ୍ୟର ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ବୃଦ୍ଧି ପାଉଛି ସିଜରିଆନ୍ ସେକ୍ସନ୍ (ସି-ସେକ୍ସନ୍) ବା ଅସ୍ତ୍ରୋପଚାର ପ୍ରସବ। ବିଶେଷକରି ଘରୋଇ ହସ୍ପିଟାଲରେ ସି-ସେକ୍ସନ୍ ପ୍ରସବ ଅସ୍ବାଭାବିକ ଭାବେ ବଢ଼ିବାରେ ଲାଗିଛି। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳର ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ବୃଦ୍ଧି ଦେଖିବାକୁ ମିଳିଛି। ଏହାକୁ ରୋକିବା ଲାଗି ରାଜ୍ୟ ସରକାର ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ଅଡିଟ୍ ଆରମ୍ଭ କରିଛନ୍ତି। ଯେଉଁ ଘରୋଇ ହସ୍ପିଟାଲରେ କୌଣସି କାରଣ ନ ଥାଇ ଯଦି ଅସ୍ତ୍ରୋପଚାର ପ୍ରସବ କରାଯାଇଥିବା ନଜରକୁ ଆସିବ, ତା’ହେଲେ ତାଙ୍କୁ ନୋଟିସ୍ କରାଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ପରିଚାଳନା ସୂଚନା ବ୍ୟବସ୍ଥା (ଏଚ୍ଏମ୍ଆଇଏସ୍)ର ସଦ୍ୟତମ ତଥ୍ୟ ଅନୁସାରେ ୨୦୨୦-୨୧ ଓ ୨୦୨୧-୨୨ରେ ରାଜ୍ୟରେ ଘରୋଇ ହସ୍ପିଟାଲରେ ଏଭଳି ପ୍ରସବ ସଂଖ୍ୟାରେ ୧୦% ବୃଦ୍ଧି ହୋଇଛି। ରାଜ୍ୟରେ ଘରୋଇ ହସ୍ପିଟାଲରେ ୨୦୨୦-୨୧ ବର୍ଷରେ ଅସ୍ତ୍ରୋପଚାର ପ୍ରସବ ସଂଖ୍ୟା ଥିଲା ୬୪.୬୭%। ପରବର୍ତ୍ତୀ ବର୍ଷରେ ଏହା ୭୪.୬୨%କୁ ବୃଦ୍ଧି ପାଇଛି। ହେଲେ, ଏହି ସମୟ ଭିତରେ କେବଳ ସିକ୍କିମ୍କୁ ବାଦ୍ ଦେଲେ ବିହାର, ଆସାମ, ଗୁଜରାଟ, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ସି-ସେକ୍ସନ୍ ପ୍ରସବ କିନ୍ତୁ ହ୍ରାସ ପାଇଛି। ଉତ୍ତର-ପୂର୍ବ ଭାରତର ଘରୋଇ ହସ୍ପିଟାଲଗୁଡ଼ିକରେ ୧୬% ଓ ସରକାରୀ ହସ୍ପିଟାଲରେ ୭% ସି-ସେକ୍ସନ୍ ପ୍ରସବ ବୃଦ୍ଧି ହୋଇଥିବା ନଜରକୁ ଆସିଛି। ଅପରପକ୍ଷରେ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ(ଏନ୍ଏଫ୍ଏଚ୍ଏସ୍-୫) କହୁଛି, ଗତ ୫ବର୍ଷ ଭିତରେ ଦେଶରେ ସରକାରୀ ହସ୍ପିଟାଲଗୁଡ଼ିକରେ ସି-ସେକ୍ସନ୍ ୧୧.୫%ରୁ ୧୫.୩%କୁ ବୃଦ୍ଧି ପାଇଛି। ସେହିପରି ରାଜ୍ୟର ଗ୍ରାମାଞ୍ଚଳର ଘରୋଇ ହସ୍ପିଟାଲରେ ସି-ସେକ୍ସନ୍ ପ୍ରସବରେ ମଧ୍ୟ ବୃଦ୍ଧି ଘଟିଛି। ସହରାଞ୍ଚଳରେ ୬୮.୬% ଅସ୍ତ୍ରୋପଚାର ଦ୍ବାରା ପ୍ରସବ କରାଯାଉଥିବା ବେଳେ ଗ୍ରାମାଞ୍ଚଳରେ ଏହି ହାର ୭୧.୫% ରହିଛି। ହେଲେ ସରକାରୀ ହସ୍ପିଟାଲଗୁଡ଼ିକରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ସହରାଞ୍ଚଳର ସରକାରୀ ହସ୍ପିଟାଲରେ ୨୨.୩% ସି-ସେକ୍ସନ୍ ପ୍ରସବ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ୧୪.୨% ରହିଛି।
ବିଶେଷଜ୍ଞମାନେ ଅସ୍ତ୍ରୋପଚାର ପ୍ରସବ ବଢ଼ିବା ପଛରେ ଏକାଧିକ କାରଣକୁ ଦାୟୀ କରୁଛନ୍ତି। ରାଜ୍ୟରେ ଘରୋଇ ହସ୍ପିଟାଲରେ ଏହା ବୃଦ୍ଧି ପାଇବା ପଛରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କେୱାଇ) ରହିଥିବା ଆଶଙ୍କା କରାଯାଉଛି। ଅନୁବନ୍ଧିତ ହୋଇଥିବା ହସ୍ପିଟାଲ ଏନ୍ଏବିଏଚ୍ ସ୍ବୀକୃତିପ୍ରାପ୍ତ ହୋଇ ନ ଥିଲେ ସି-ସେକ୍ସନ୍ ପାଇଁ ୧୫ହଜାର ଟଙ୍କା ରହିଛି। ଏନ୍ଏବିଏଚ୍ ସ୍ବୀକୃତିପ୍ରାପ୍ତ ହୋଇଥିଲେ ଏଣ୍ଟ୍ରି ସ୍ତରରେ ସି-ସେକ୍ସନ୍ ପାଇଁ ୩୦% ଅତିରିକ୍ତ ଓ ପୂର୍ଣ୍ଣସ୍ତରରେ ଶତ ପ୍ରତିଶତ ଅର୍ଥ ରହିଛି। ତେବେ ଘରୋଇ ହସ୍ପିଟାଲରେ ସି-ସେକ୍ସନ୍ ବୃଦ୍ଧି ପାଇବା ପଛରେ ବିଏସ୍କେୱାଇ ଏକ ପ୍ରମୁଖ କାରଣ କି ନୁହେଁ ବର୍ତମାନ ସୁଦ୍ଧା ସରକାରୀ ସ୍ତରରେ କୌଣସି ଆକଳନ ହୋଇନାହିଁ।