ସମ୍ବଲପୁର: ଆଜିଠୁ ସମ୍ବଲପୁରରେ କର୍ଫ୍ୟୁ କଟକଣା କୋହଳ କରାଯାଇଛି । କଟକଣାକୁ କୋହଳ କରିଛି ଜିଲ୍ଲା ପ୍ରଶାସନ । ସକାଳ ୭ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଥିବା ବେଳେ ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ କର୍ଫ୍ୟୁ କୋହଳ ଅବଧି ବୃଦ୍ଧି କରାଯାଇଛି । ସେପଟେ ଆଜି ୧୦ଟା ଯାଏ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।
କର୍ଫ୍ୟୁ ସମୟରେ କୋହଳ ପରେ ଜନ ଜୀବନ ସ୍ବାଭାବିକ ହେଉଛି । ଗତକାଲି ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ଶାନ୍ତି ଫେରିବା ଉପରେ ଆଲୋଚନା ହୋଇଥିବାବେଳେ ଗାଁ ଗୁଡିକରେ ଉଭୟ ସମ୍ପ୍ରଦାୟଙ୍କୁ ନେଇ ପ୍ରଶାସନ ଉପସ୍ଥିତିରେ ବୈଠକ ହୋଇଛି । ସେପଟେ ସର୍ବଧର୍ମ ବୈଠକ କରିଛି ଶାନ୍ତି କମିଟି। ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନଗୁଡିକ ମଧ୍ୟ ବୈଠକ କରିଥିଲେ। ୨୨ ତାରିଖରେ ଇଦ୍-ଉଲ୍-ଫିତର ପର୍ବ ଅନୁଷ୍ଠିତ ହେବ । ହନୁମାନ ଜୟନ୍ତୀରେ ଯେଉଁ ଅଘଟଣ ଘଟିଲା ଯେପରି ପୁନରାବୃତ୍ତି ନହେବ ସେଥିପାଇଁ ପ୍ରୟାସ ଜାରି ରହିଛି। ଏପଟେ ରାଜ୍ୟ ବିଜେପି ସଭାପତିଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର ଅଭିମୁଖେ ଯାଉଥିବା ପ୍ରତିନିଧି ମଣ୍ଡଳକୁ ଠେଲକୋଲୋଇ ଥାନାରେ ଅଟକ ରଖିଥିଲା ପୋଲିସ ।
ସୂଚନାଯୋଗ୍ୟ, ହନୁମାନ ଜୟନ୍ତୀ ଶୋଭାଯାତ୍ରା ଅବସରରେ ଦୀର୍ଘ ୬ ଦିନ ଧରି ସହରରେ ଲାଗି ରହିଥିବା ଅଚଳାବସ୍ଥା ଦୂର ଲାଗି ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ସେହିପରି ହନୁମାନ ଜୟନ୍ତୀ ରାଲି ବେଳେ ହିଂସାକାଣ୍ଡ ଘଟଣାରେ ବର୍ତ୍ତମାନ ସୁଦ୍ଧା ଗିରଫ ହେଲେଣି ୮୫ ଜଣ । ଖୁବ ଶୀଘ୍ର ସବୁକିଛି ସ୍ୱାଭାବିକ ହେବ ବୋଲି ଚେଷ୍ଟା କରୁଛି ପ୍ରଶାସନ ।
