ଭୁବନେଶ୍ୱର, ୧୮/୧୨ : କାର୍ ଡିଲରସିପ୍ କରାଇଦେବାକୁ କହି ୪୦ ଲକ୍ଷ ଠକିନେଲେ ସାଇବର ଲୁଟେରା । ପୁଣି ଡିମାଣ୍ଡ କରିଥିଲେ ଆଉ ୧୭ ଲକ୍ଷ ଟଙ୍କା। ଏହାପରେ ବଢିଥିଲା ସନ୍ଦେହ ବଢ଼ିଥିଲା। ଏମିତି ସାଇବର ଠକେଇ ଦେଖିବାକୁ ମିଳିଛି କଟକରେ। ଠକାମୀରେ ଶିକାର ହୋଇଥିବା ଜାଣିବା ପରେ ବ୍ୟକ୍ତି ଜଣଙ୍କ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି। କଟକ ସାଇବର ଥାନା ପୋଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦୋଷୀର ଟେର ପାଇନାହିଁ। କଟକ ସିଡିଏ ସେକ୍ଟର ୯ ଅଞ୍ଚଳର ଜଣେ ବ୍ୟବସାୟୀ ‘କିଆ’ କମ୍ପାନୀର କାର ଡିଲରସିପ୍ କରିବାକୁ ଚାହିଁଥିଲେ। ସେ ସମ୍ବଲପୁର ଅଞ୍ଚଳରେ ଏହା କରିବାକୁ ଇଚ୍ଛୁକ ଥିଲେ। ଏଥିପାଇଁ ସେ ଅନଲାଇନରୁ ଗୋଟିଏ ଟେଲିଫୋନ୍ ନମ୍ୱର ପାଇ, ଫୋନ୍ ନମ୍ୱରଟି ‘କିଆ’ କମ୍ପାନୀର ଭାବି କଲ୍ କରିଥିଲେ। ଅନ୍ୟପଟେ ଫୋନ ଉଠାଇଥିବା ବ୍ୟକ୍ତି ଜଣକ ନିଜକୁ ‘କିଆ’ର ଅଧିକାରୀ ବୋଲି ପରିଚୟ ମଧ୍ୟ ଦେଇଥିଲେ। ଗତ ୧୬ ତାରିଖରେ ବ୍ୟବସାୟୀଙ୍କ ପାଖକୁ ଆଉ ଥରେ ଫୋନ୍ କଲ ଆସିବା ସହ ଆହୁରି ୧୭ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲା, ନିଜକୁ ‘କିଆ’ କମ୍ପାନୀର ଅଧିକାରୀ ବୋଲି ପରିଚୟ ଦେଇଥିବା ବ୍ୟକ୍ତି। ସେହି ଟଙ୍କା ଆଉ ଏକ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାକୁ ମଧ୍ୟ କହିଥିଲେ। ଏଥିରୁ ବ୍ୟବସାୟୀଙ୍କର ସନ୍ଦେହ ବଢ଼ିବାରୁ ସେ ଉକ୍ତ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। କଥାବାର୍ତ୍ତା ହେଉଥିବା ମୋବାଇଲ ନମ୍ବରଟି ଗୁଜୁରାଟର ବୋଲି ଜାଣିବାକୁ ମିଳିଛି।