ଭୁବନେଶ୍ବର, ୧୧/୬: ବାତ୍ୟା ‘ୟାସ୍’ ଯୋଗୁଁ ଅନେକ ଜିଲ୍ଲାରେ ଫସଲ ନଷ୍ଟ ହେବ ସହ ପଶୁସମ୍ପଦ,ମସ୍ୟ,ହସ୍ତତନ୍ତ୍ର ଓ ରେଶମ ଚାଷ ଆଦି କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି । ପ୍ରଭାବିତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହା ଦ୍ବାରା ୩୩ ପ୍ରତିଶତ କିମ୍ବା ଅଧିକ କ୍ଷତି ସହିଥିବା ଚାଷୀଙ୍କୁ ସହାୟତା ଯୋଗାଇଦେବେ ରାଜ୍ୟ ସରକାର। । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଇନପୁଟ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ୩୩ ପ୍ରତିଶତ ବା ଅଧିକ କ୍ଷତି ହୋଇଥିବା ଫସଲ ପାଇଁ ଅଣଜଳସେଚିତ ଅଞ୍ଚଳରେ ଛୋଟ ଓ ନାମମାତ୍ର ଚାଷୀ ଙ୍କୁ ହେକ୍ଟର ପିଚ୍ଛା ୬୮୦୦ ଟଙ୍କା ଇନ୍ପୁଟ ସବ୍ସିଡି ଦିଆଯିବ। ଜଳସେଚିତ ଅଞ୍ଚଳରେ ହେକ୍ଟର ପିଚ୍ଛା ୧୩,୫୦୦ ଟଙ୍କା ଏବଂ ସମସ୍ତ ପ୍ରକାର ସବୁଦିନିଆ ଫସଲ ପାଇଁ ହେକ୍ଟର ପିଚ୍ଛା ୧୮,୦୦୦ ଟଙ୍କା ଇନ୍ପୁଟ ସବ୍ସିଡି ଦିଆଯିବ। ଆମ୍ବ, କାଜୁ, ନଡିଆ, କେତକୀ, ପାନ ଆଦି ଫସଲ ସବୁଦିନିଆ ଫସଲ ଶ୍ରେଣୀରେ ଅନ୍ତର୍ଭୁକ୍ତ।
ସବୁଦିନିଆ ଫସଲ ପାଇଁ ଚାଷୀ ମାନଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ଓ ଅନ୍ୟ ଫସଲ ପାଇଁ ସର୍ବନିମ୍ନ ୧୦୦୦ ଟଙ୍କା ଇନ୍ପୁଟ ସବ୍ସିଡି ମିଳିବ। ସେହିଭଳି ଚାଷୀଙ୍କ ସ୍ବଳ୍ପ ମିଆଦୀ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିବର୍ତ୍ତନ କରାଯିବ । କୃଷି ଯାନ୍ତ୍ରପାତି ପାଇଁ ୨୦ କୋଟି ଟଙ୍କାର ରିହାତି ସହାୟତା ଘୋଷଣା କରାଯାଇଛି । ଘୋଷିତ ପ୍ୟାକେଜ ଶୀଘ୍ର କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ କେବଳ ପ୍ରକୃତ ଚାଷୀ ମାନଙ୍କୁ ଏହି ସହାୟତା ପ୍ରଦାନ କରାଯିବ। ଏହା ସହ ପ୍ରଭାବିତ ଜିଲ୍ଲାର ଚାଷୀମାନଙ୍କୁ ୨୦୨୧ ଖରିଫ ଋତୁ ପାଇଁ ବର୍ତ୍ତମାନ ଦିଆଯାଉଥିବା ରିହାତିର ଅଧିକ ୨୫ ପ୍ରତିଶତ ରିହାତି ସହିତ ଦେଢ ଲକ୍ଷ କ୍ବିଣ୍ଟାଲ ଉନ୍ନତମାନର ପ୍ରାମାଣିକ ଧାନ ବିହନ ଯୋଗାଇ ଦିଆଯିବ। ଏହି ରିହାତି ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯିବ।