ଭୁବନେଶ୍ୱର,୧୦/୧୦ : ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏବେ ଆଣ୍ଡାମାନରେ ପ୍ରବଳ ବର୍ଷା ହେଉଛି। ଆସନ୍ତା ୪୮ଘଣ୍ଟା ଭିତରେ ଏହା ଲଘୁଚାପରେ ପରିଣତ ହେବ। ଏହା ୪ରୁ ୫ଦିନ ସମୁଦ୍ର ଭିତରେ ବଳ ଗୋଟାଇବା ପରେ ସ୍ଥଳଭାଗକୁ ଛୁଇଁବ। ଏହି ୫ଦିନରେ ଲଘୁଚାପ ବାତ୍ୟାର ରୂପ ନେବାର ସମ୍ଭାବନା ଅଧିକ। ସମୁଦ୍ରରେ ଜଳବାୟୁର ସ୍ଥିତି, ପବନର ଦିଗ ଏବଂ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରୁଥିବାରୁ ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ମାଡ଼ ହେବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କଲେଣି। କିନ୍ତୁ ବାତ୍ୟା ଦଶହରା ପରେ ଓଡ଼ିଶାରେ ମାଡ଼ ହେବ ବୋଲି କୁହାଯାଉଛି।
ପାଣିପାଗ ମଡେଲ୍ ୱିଣ୍ଡି ଏବଂ ସ୍କାଏମେଟ୍ ଆକଳନ ଅନୁଯାୟୀ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଅଧିକରୁ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବ। ୱିଣ୍ଡିର ଆକଳନ କହୁଛି ଯେ ଏହା ପୁରୀରୁ ପାରାଦୀପ ମଝିରେ ସ୍ଥଳଭାଗ ଛୁଇଁବ। ଅକ୍ଟୋବର ୧୬ ତାରିଖ ବିଳମ୍ବିତ ରାତିରେ କିମ୍ବା ୧୭ତାରିଖ ସକାଳେ ଏହା ସ୍ଥଳଭାଗ ଛୁଇଁବ। ଏହା ପ୍ରଭାବରେ ଉପକୂଳ ଓଡ଼ିଶା, ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେବ।
ଆଇଏମ୍ଡି ବି ଆକଳନ କରୁଛି ଯେ ଲଘୁଚାପ ହେଉ କି ବାତ୍ୟା, ଯାହା ବି ହେବ ଓଡ଼ିଶାରେ ଏହା ସ୍ଥଳଭାଗ ଛୁଇଁବ। ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ୍ଆର୍ ବିଶ୍ବାସ କହିଛନ୍ତି ଯେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ। ଏହାପରେ ଏହା ବାତ୍ୟା ରୂପ ନେବ କି ନାହିଁ, ବାତ୍ୟା ରୂପ ନେଲେ କେତେ ଭୟଙ୍କର ହେବ ତାହା ଆକଳନ କରିହେବ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ଯେ ଏହି ଲଘୁଚାପ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ। ଲଘୁଚାପ ବଳୟ ସୃଷ୍ଟି ହେବା ପରେ ସମୁଦ୍ରରେ ଏହା ୪ରୁ ୫ଦିନ ରହିବ। ତେଣୁ ଏନେଇ ସ୍ପଷ୍ଟ ଚିତ୍ର ୪୮ଘଣ୍ଟା ପରେ ଆସିବ।