ଆସୁଛି ବାତ୍ୟା ‘ଡିଆଁମୁ’ : ୨୬ ରେ ଛୁଇଁବ ସ୍ଥଳଭାଗ

ଭୁବନେଶ୍ୱର,୨୫/୯: ଆସୁଛି ବାତ୍ୟା ‘ଡିଆଁମୁ’ । ଆସନ୍ତା ୨୬ ତାରିଖରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) । ଦକ୍ଷିଣ ଓଡିଶା -ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି କୁହାଯାଉଛି ।ଏହା ଓଡ଼ିଶାର ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ମଧ୍ୟଭାଗରେ ଥିବା କଳିଙ୍ଗପାଟ୍ଟନମ ଦେଇ ଗତି କରିବ ବୋଲି ପ୍ରାଥମିକ ସୂଚନା ମିଳିଛି । ସୂଚନା ମୁତାବକ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ୱେଲମାର୍କରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଡିପ ଡିପ୍ରେସନ ବା ଗଭୀର ଅବପାତରେ ପରିଣତ ହେବ ।

ଅଧିକ ଘନୀଭୂତ ହେଲେ ଏହା ବାତ୍ୟାର ରୂପ ନେବ । ଏହାର ପ୍ରଭାବରେ ଘଣ୍ଟା ପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହେବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ସମୟ ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ କିଲୋମିଟର ମଧ୍ୟ ହୋଇପାରେ । ଆଇଏମଡିର ଆକଳନ ଅନୁଯାୟୀ ବର୍ତ୍ତମାନ ଏହା ଗୋପାଳପୁରଠାରୁ ୬୭୦ କିଲୋମିଟର ପୂର୍ବ-ଦକ୍ଷିଣରେ ଥିବାବେଳେ କଳିଙ୍ଗପାଟ୍ଟନମଠାରୁ ୭୪୦ କିଲୋମିଟର ଦୂରତାରେ ରହିଛି।

ଏହାର ପ୍ରଭାବରେ ଆଜିଠାରୁ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବା ସହ ୨୬ ତାରିଖରେ ଘଣ୍ଟା ପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବୋହିବ । ସେହିପରି ସ୍ଥଳବିଶେଷରେ ଏହା ୯୦ କିଲୋମିଟର ମଧ୍ୟ ଛୁଇଁବ ବୋଲି କୁହାଯାଉଛି।