ଓଡ଼ିଶା ଛୁଇଁବନି ବାତ୍ୟା ‘ସିତ୍ରାଙ୍ଗ’ : IMD ଡିଜି

ଭୁବନେଶ୍ୱର: ଓଡ଼ିଶା ଉପକୂଳ ଛୁଇଁବନି ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’ । ଫଳରେ ଓଡ଼ିଶାବାସୀ ଆଶ୍ୱସ୍ତି ଲାଭ କରିଛନ୍ତି । ବାତ୍ୟା ଓଡ଼ିଶା ଛୁଇଁବନି ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଏହି ବାତ୍ୟା ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେବାର ସମ୍ଭାବନା ରହିଛି ।

ଗୁରୁବାର ସକାଳେ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ୨୨ ତାରିଖରେ ଏହା ଅବପାତର ରୂପ ନେଇ ୨୩ ତାରିଖ ବେଳକୁ ଗଭୀର ଅବପାତର ରୂପ ନେବ । ୨୪ ତାରିଖରେ ଏହା ଦିଗ ପରିବର୍ତ୍ତନ କରି ଉତ୍ତର ଆଡ଼କୁ ଗତି କରିବ । ଏହା ବାତ୍ୟାରେ ପରିଣତ ହେବା ପରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ୨୫ ତାରିଖରେ ଲ୍ୟାଣ୍ଡଫଲ୍ କରିବ ।

ମିଳିଥିବା ସୂଚନା ମୁତାବକ, ବାତ୍ୟାର ସବୁଠୁ ଅଧିକ ପ୍ରଭାବ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପରେ ପଡ଼ିବ । ତେବେ ବାତ୍ୟାର ତୀବ୍ରତା କେତେ ରହିବ ସେ ନେଇ ଆଇଏମଡି ପକ୍ଷରୁ କୌଣସି ଆକଳନ କରାଯାଇ ନାର୍ହି । ଶ୍ରୀ ମହାପାତ୍ର କହିଛନ୍ତି ଯେ, ଏହି ବାତ୍ୟା ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ନାହିଁ ।

ଓଡ଼ିଶା ଉପକୂଳ ପାଖାପାଖି ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇବ । ତେବେ ଏହା ଡିପ୍ରେସନରେ ପରିଣତ ହେଲେ ଏହାର ରୂପରେଖ ଅଧିକ ସ୍ପଷ୍ଟ ହୋଇପାରିବ । ଏହାର ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ୨୪ ଓ ୨୫ରେ ବର୍ଷା ହେବ । ବାତ୍ୟା ପ୍ରଭାବରେ ୨୧ ତାରିଖରୁ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ । ତେଣୁ ଏହି ସମୟରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବା ଉଚିତ ନୁହେଁ ।