ପୁଣି ଅକ୍ଟୋବରରେ ବାତ୍ୟା ମୋନ୍ଥା : ୨୭ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ସାଇକ୍ଲୋନିକ ଷ୍ଟର୍ମ

ଭୁବନେଶ୍ୱର, ୨୫/୧୦ : ପୁଣି ଅକ୍ଟୋବରରେ ବାତ୍ୟା । ୨୭ ତାରିଖ ସକାଳେ ବଙ୍ଗୋପସାଗରରେ ସୃଷ୍ଟି ହେବ ସାଇକ୍ଲୋନିକ ଷ୍ଟର୍ମ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଆଜି ଅବପାତରେ ପରିଣତ ହେବ । କାଲି ସୁଦ୍ଧା ଅଧିକ ଘନୀଭୂତ ହୋଇ ଡିପ ଡିପ୍ରେସନର ରୂପ ନେବାର ସମ୍ଭାବନା ରହିଛି । ୨୭ ତାରିଖ ସକାଳେ ଅଧିକ ଘନୀଭୂତ ହୋଇ ଦକ୍ଷିଣ ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବାତ୍ୟାରେ ପରିଣତ ହେବ। ବାତ୍ୟା ସୃଷ୍ଟିହେବା ପରେ ଏହାର ନାଁ ରହିବ ମୋନ୍ଥା । ବାତ୍ୟାର ନାମକରଣ କରିଛି ଥାଇଲାଣ୍ଡ । ଥାଇ ଭାଷାରେ ଏହାର ଅର୍ଥ ସୁଗନ୍ଧିତ ଫୁଲ କିମ୍ବା ସୁନ୍ଦରଫୁଲ । ଏହି ନାମ ଉତ୍ତର ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଟ୍ରପିକାଲ ସାଇକ୍ଲୋନ ନାମକରଣ ପ୍ରଣାଳୀର ଏକ ଅଂଶ ବିଶେଷ । ତେବେ ବାତ୍ୟାର ଗତିପଥ କିପରି ରହିବ, କେଉଁ ଠାରେ ସ୍ଥଳ ଭାଗ ଛୁଇଁବ ସେନେଇ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଅଧିକାଂଶ ପାଣିପାଗ ମଡେଲରୁ ଏହା ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି । ପ୍ରଭାବରେ ୨୭ରୁ ୨୯ ତାରିଖ ଯାଏ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ୨୬ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

SBI_Festive_Digital Billboard