ଭୁବନେଶ୍ୱର,୧୭/୧୦: (ପ୍ରଦୀପ୍ତ କୁମାର ଦାସ) – ‘ଦାଦାବଟିକୁ ନା’ ଅଭିଯାନରେ ଆଜି ଦାଦାବଟି ଆଦାୟ ଅଭିଯୋଗରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟକୁ ଗିରଫ କରିଛି କମିସନରେଟ ପୋଲିସ । କ୍ୟାପିଟାଲ ଥାନା ଅଂଚଳରେ ଥିବା କିଛି ବ୍ୟବସାୟ ପ୍ରତିଷ୍ଠାନରୁ ଏସଂକ୍ରାନ୍ତରେ ଶନିବାର ହୋଇଥିବା ଅଭିଯୋଗ କ୍ରମେ ରାଜାକୁ ସ୍ଥାନୀୟ ଥାନା ପୋଲିସ ଗିରଫ କରିଥିବା କୁହାଯାଇଛି । ତେବେ ଗତକାଲି ଟୁଇନ ସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏନେଇ ବ୍ୟବସାୟୀ ଓ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସଚେତନତା ବାର୍ତ୍ତାଦେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଏହି ଅଭିଯାନ ବଳରେ ଅଭ୍ୟାସଗତ ଓ ପେଷାଦାର ଅପରାଧୀମାନେ କିପରି ଡରାଇ ଧମକାଇ ଭାଇଗିରି କରି ଦାଦା ବଟି ଆଦାୟ କରିପାରିବେନି ସେଦିଗରେ ସେମାନଙ୍କୁ ପ୍ରତିରୋଧ କରିବା ଏହାର ଲକ୍ଷ୍ୟ ବୋଲି ଶ୍ରୀ ଷଡ଼ଙ୍ଗୀ ପରାମର୍ଶ ଦେଇଥିଲେ। ତଦନୁଯାୟୀ ଶନିବାର ଏହାର ପ୍ରଭାବ ପ୍ରଥମ କରି ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ବିରୋଧରେ କାର୍ଯ୍ୟକାରୀ କରାଯାଇଛି । ତେବେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାରୁ ଏହି ଅଭିଯାନ ଉପରେ କମିସନରେଟ ପୋଲିସ ଅଧିକ ଫୋକସ ରଖି ଆଗକୁ ଜୋରଦାର କରିବ ବୋଲି ସାଧାରଣରେ ଏହା ଏବେ ବେଶ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । କମିସନରେଟ ପୋଲିସର ଏଭଳି ଅଭିଜାନକୁ ଭୁବନେଶ୍ୱର ଓ କଟକର ସଚେତନ ନାଗରିକ ମହଲରେ ପ୍ରଶଂସା କରାଯାଇଛି ।