ଜଗତସିଂହପୁର, ୩/୯ : ଡ୍ରଗ୍ ଇନ୍ସପେକ୍ଟର ଅଫିସର ଜଣେ ଡାଟା ଏଣ୍ଟ୍ରି ଅପରେଟର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଡ୍ରଗ୍ ଲାଇସେନ୍ସ କରାଇଦେବାକୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଡାଟା ଏଣ୍ଟ୍ରି ଅପରେଟର ତପନ କୁମାର ସେଠୀ ।
ସୂଚନା ଅନୁସାରେ ସ୍ଥାନୀୟ ତରଡା ପଡ଼ା ଅଞ୍ଚଳର ଜଣେ ଯୁବକଙ୍କୁ ଡ୍ରଗ୍ ଲାଇସେନ୍ସ କରାଇ ଦେବାକୁ ତପନ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ମାତ୍ର ସମ୍ପୃକ୍ତ ଯୁବକ ଜଣଙ୍କ ୧୦ ହଜାର ଟଙ୍କା ଦେବା ପାଇଁ ରାଜି ହୋଇଥିଲେ । ଏହି ଘଟଣାକୁ ନେଇ ସମ୍ପୃକ୍ତ ଯୁବକ ଜଣଙ୍କ କଟକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ।
ପୂର୍ବ ପ୍ରସ୍ତୁତି ଅନୁସାରେ ଗୁରୁବାର ସମ୍ପୃକ୍ତ ଯୁବକ ଜଣଙ୍କ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଦାବି ମୁତାବକ ଟଙ୍କା ଦେବା ସମୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ସେଠାରୁ ଡାଟା ଏଣ୍ଟ୍ରି ଅପରେଟର ତପନ ସେଠୀଙ୍କୁ ଗିରଫ କରିଥିଲେ ।