କେବେ ଜବରଦଖଲମୁକ୍ତ ହେବ ଦୟା ୱେଷ୍ଟ କେନାଲ୍‌ ଓ ଗଙ୍ଗୁଆ ନାଳ !

 

ଭୁବନେଶ୍ବର,୨୦/୫ : ଆସୁଛି ମୌସୁମୀ । ଶୋଇଛନ୍ତି ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ । ଭୁବନେଶ୍ବର ସହର ଭିତର ଡ୍ରେନ୍‌ ପୂର୍ଣ୍ଣମାତ୍ରାରେ ସଫା ହୋଇନି । ସେପଟେ ପୂର୍ତ୍ତ ବିଭାଗ ଭୁବନେଶ୍ବର ମହାନଗର ନିଗମ ଭିତରେ ଥିବା ୩୬୦ କିଲୋମିଟରର ନାଳରେ ହାତ ମାରିନି। ଏଭଳି ସ୍ଥିତିରେ ସହରର ପ୍ରାକୃତିକ ନାଳ, ବୋଝ ଉପରେ ନଳିତା ବିଡ଼ା ହେବାକୁ ଯାଉଛି। ବର୍ଷା ବେଳେ ସହର ପାଇଁ ବରଦାନ ସାଜୁଥିବା ପ୍ରାକୃତିକ ନାଳ ଅଦ୍ୟାବଧି ସଫା କରାଯାଇନି କି ଜବରଦଖଲମୁକ୍ତ କରାଯାଇନି। ସହରର ବର୍ଷାଜଳ ନିଷ୍କାସନରେ ପ୍ରମୁଖ ଭୂମିକା ତୁଲାଉଥିବା ଦୟା ୱେଷ୍ଟ୍ କେନାଲ୍ ଓ ଗଙ୍ଗୁଆ ନାଳ ଏବେ ବି ଆବର୍ଜନାରେ ପୋତି ହୋଇରହିଛି। ସବୁଠି ଜବରଦଖଲ ସାଙ୍ଗକୁ ଦଳ ଓ କୁଢ଼କୁଢ଼ ଆବର୍ଜନା। ଯାହା ଆଗାମୀ ମୌସୁମୀ ବର୍ଷାରେ ଭୁବନେଶ୍ବରବାସୀଙ୍କୁ କନ୍ଦାଇବାକୁ ଯାଉଛି।

ସିଏଜି ବି ତାଙ୍କ ରିପୋର୍ଟରେ ପ୍ରାକୃତିକ ନାଳର ଜବରଦଖଲ, ଆବର୍ଜନାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଦୟା ୱେଷ୍ଟ କେନାଲ୍ ଓ ଗଙ୍ଗୁଆ ନାଳ ଦିନକୁ ଦିନ ସଂକୁଚିତ ହେଉଥିବା ବେଳେ ପ୍ରାୟ ୩୦ ଫୁଟ ଓସାରର ଏହି ନାଳରୁ ୫ରୁ ୭ ଫୁଟ୍ ଜବରଦଖଲକୁ ଚାଲିଗଲାଣି ବୋଲି ଫଟୋଚିତ୍ର ସମ୍ବଳିତ ତଥ୍ୟଭିତ୍ତିକ ରିପୋର୍ଟ ଦେଇ ଏହାକୁ ଜବରଦଖଲମୁକ୍ତ କରିବାକୁ କହିଥିଲେ। ସହରର ଆବର୍ଜନା ବି ଏହାର ଗତିରୋଧ କରୁଥିବା କହିଥିଲେ। କିନ୍ତୁ ସେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ହେଉ କି ବିଏମ୍‌ସି, ସମସ୍ତେ ଚୁପ୍‌ ହୋଇ ବସିଛନ୍ତି। ଯାହା ଭୁବନେଶ୍ବରବାସୀଙ୍କୁ ଆଗାମୀ ମୌସୁମୀରେ ଜଳମଗ୍ନ କରିବାର ଆଶଙ୍କା ସୃଷ୍ଟି କରିଛି। ନିକଟରେ ମୁଖ୍ୟ ଶାସନ ସଚିବ ଏହା ଉପରେ ସମୀକ୍ଷା କରି ନାଳ ଅବରୋଧମୁକ୍ତ କରିବାକୁ କହିଛନ୍ତି। ମେୟର ସୁଲୋଚନା ଦାସ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ୨୦୦ କୋଟି ଟଙ୍କା ଦେବେ। ନଗର ଉନ୍ନୟନ ବିଭାଗ ୩୦ କୋଟି ଟଙ୍କା ଦେଇଛନ୍ତି। ଏଥିରେ ଆର୍‌ସିସି ୱାଲ୍‌ କରି ସହରାଞ୍ଚଳ ବନ୍ୟା ସମସ୍ୟା ଦୂର କରାଯିବ ବୋଲି କହିଛନ୍ତି। କିନ୍ତୁ ଅଧିକାରୀମାନେ କେତେଦୂର ଏହା କରୁଛନ୍ତି ଦେଖିବାକୁ ବାକି ରହିଛି।

 

SBI AD