ପୁଣିଥରେ ରିଲିଜ୍ ହେବ ‘ଦିଲଓ୍ବାଲେ ଦୁଲହନିଆ ଲେ ଜାଏଙ୍ଗେ’ ; ଶାହରୁଖ ଓ କାଜୋଲଙ୍କୁ ଦିଆଯିବ ସ୍ବତନ୍ତ୍ର ସମ୍ମାନ

ନୂଆଦିଲ୍ଲୀ : ଶାହରୁଖ ଖାନ ଓ କାଜୋଲଙ୍କ ଆଇକନିକ ଫିଲ୍ମ ‘ଦିଲଓ୍ବାଲେ ଦୁଲହନିଆ ଲେ ଜାଏଙ୍ଗେ’ କୁ ୨୫ ବର୍ଷ ପୂରିଛି । ଏବେ ବି ଫିଲ୍ମକୁ ନେଇ ଚର୍ଚ୍ଚା ଚାଲିଛି । ଦର୍ଶକଙ୍କ ମଧ୍ୟରେ ‘ଦିଲଓ୍ବାଲେ ଦୁଲହନିଆ ଲେ ଜାଏଙ୍ଗେ’ ସିନେମା ଦେଖିବାକୁ ପୂର୍ବ ଭଳି କ୍ରେଜ ରହିଛି। ସିନେମାରେ କାଜୋଲ ଓ ଶାହାରୁଖଙ୍କ ବ୍ୟତୀତ ଅନୁପମ ଖେର, ଅମରିଶ ପୁରି, ଫରିଦା ଜଲାଲ, ସତୀଶ ଶାହଙ୍କ ଭଳି କଳାକାର ଅଭିନୟ କରିଥିଲେ।

ଫିଲ୍ମକୁ ୨୫ ବର୍ଷ ପୂରିଥିବାରୁ ଶାହରୁଖ ଓ କାଜୋଲଙ୍କୁ ମଧ୍ୟ ସ୍ବତନ୍ତ୍ର ସମ୍ମାନ ଦିଆଯିବ। ପ୍ରଥମଥର ପାଇଁ ଏହି ଆଇକନିକ ଫିଲ୍ମକୁ ଲଣ୍ଡନର ଲିଷ୍ଟେର ସ୍ବାୟରରେ ସମ୍ମାନୀତ କରାଯିବ। ଫିଲ୍ମର ଏକ ଦୃଶ୍ୟକୁ ‘ସିନ୍ସ ଇନ ଦ ସ୍କ୍ବାୟର’ରେ ସାମିଲ କରାଯିବ।

ସିନେମା କ୍ରିଟିକ ତରଣ ଆଦର୍ଶ କହିଛନ୍ତି, ବ୍ଲକବ୍ଲାଷ୍ଟର ‘ଦିଲଓ୍ବାଲେ ଦୁଲହନିଆ ଲେ ଜାଏଙ୍ଗେ’ ଫିଲ୍ମ ପୁଣି ଥରେ ୧୮ଟି ଦେଶରେ ରିଲିଜ ହେବାକୁ ଯାଉଛି। ଏହି ୧୮ଟି ଦେଶ ତାଲିକାରେ ଆମେରିକା, ୟୁକେ, ୟୁଏଇ, ସାଉଦି ଆରବ, କତର, ମରିସିୟସ, ସାଉଥ ଆଫ୍ରିକା, ନ୍ୟୁଜିଲାଣ୍ଡ, ଫିଜି, ଜର୍ମାନୀ, ସ୍ବିଡେନ, ନରଓ୍ବେ, ସ୍ବିଜରଲ୍ୟାଣ୍ଡ, ଇଷ୍ଟୋନିଆ ଓ ଫିନଲାଣ୍ଡ ଆଦି ରହିଛି। ଏହି ଫିଲ୍ମର ନିର୍ଦେଶନା ଆଦିତ୍ୟ ଚୋପ୍ରା ଦେଇଥିଲେ।